କରାଚୀରେ ଚାଇନା ଯୁଦ୍ଧଜାହାଜ

ନୂଆଦିଲ୍ଲୀ,୧୪।୧୧ : ପାକିସ୍ତାନର କରାଚୀ ପୋତାଶ୍ରୟରେ ଚାଇନାର ଅନେକ ଯୁଦ୍ଧଜାହାଜ, ବୁଡ଼ାଜାହାଜ ଓ ସହାୟକ ଜାହାଜର ଉପସ୍ଥିତି ହାଇ ରିଜୋଲ୍ୟୁଶନ ସାଟେଲାଇଟ୍‌ ଫଟୋରୁ ଦେଖିବାକୁ ମିଳିଛି। ଚାଇନା ଏବଂ ପାକିସ୍ତାନ ସର୍ବବୃହତ୍‌ ନୌସେନା ସମରାଭ୍ୟାସ ଆରମ୍ଭ କରିଛନ୍ତି। ଭାରତ ମହାସାଗରରେ ବେଜିଂ ଏହାର ଉପସ୍ଥିତି ଯଥେଷ୍ଟ ବଢ଼ାଇଥିବାବେଳେ ସି’ ଗାର୍ଡିଆନ୍‌-୩ ସମରାଭ୍ୟାସ ଆରମ୍ଭ ହୋଇଛି। ଏଥିସହିତ ଚାଇନା ଆଫ୍ରିକାର ଜିବୌଟିଠାରେ ଏକ ବଡ଼ ଘାଟି ନିର୍ମାଣ କରିବା ସହ ପାକିସ୍ତାନ ସମେତ କେତେକ ଆଞ୍ଚଳିକ ନୌସେନାକୁ ଆଧୁନିକ ପ୍ଲାଟ୍‌ଫର୍ମ ବିକ୍ରି କରୁଛି। ନିକଟରେ ପାକିସ୍ତାନ ନୌସେନାକୁ ବେଜିଂ ୪ଟି ଟାଇପ୍‌-୦୫୪ଏ/ପି ଜାହାଜ ଯୋଗାଇଦେଇଛି। ଚଳିତ ମାସ ଆରମ୍ଭରେ କଲମ୍ବୋରେ ଚାଇନାର ସାମୁଦ୍ରିକ ଗବେଷଣା ଜାହାଜ ଶି ୟାନ୍‌ ୬ ଅଟକି ରହିଥିଲା। ପୂର୍ବରୁ ଏହି ଜାହାଜ କେବେ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ପ୍ରବେଶ କରି ନ ଥିଲା। ଏଥିରୁ ଜଣାପଡ଼ୁଛି ଚାଇନା ଆଗକୁ ବଡ଼ ବୁଡ଼ାଜାହାଜ ଚଳାଚଳ ପାଇଁ ବଙ୍ଗୋପସାଗର ସମେତ ଭାରତ ମହାସାଗରର ଜଳରାଶିକୁ ସକ୍ରିୟ ଭାବେ ଅନୁଧ୍ୟାନ କରୁଛି।

Share