ପରମାତ୍ମା ନିଜ ଦ୍ୱାରା ସୃଷ୍ଟ ସର୍ବଶ୍ରେଷ୍ଠ ଜୀବ ମଣିଷକୁ ଏ ଧରାଧାମକୁ ପଠାଇଛନ୍ତି। ଏଠାରେ ତା’ର ରହିବା, ଖାଇବା, ମଉଜମଜ୍ଲିସ ଆଦି ସବୁ କାର୍ଯ୍ୟ ପାଇଁଁ ବହୁବିଧ ସୁବ୍ୟବସ୍ଥା ମଧ୍ୟ କରିଛନ୍ତି । ଏହା ବାଦ କାଳେ ସେ ମାୟାରେ ପଡ଼ି ଏଠି ସବୁଦିନ ରହିବା ପାଇଁ ଭାବି ବସିବ, ସେଥିପାଇଁ ବହୁ ସାଧୁସନ୍ଥ, ବୈରାଗୀ ଆଦିଙ୍କୁ ତା’ ଚତୁଃପାର୍ଶ୍ୱରେ ଖଞ୍ଜି ରଖିବା ସହ ଗୀତା, ଭାଗବତ, ମାନସ, ବେଦ ବେଦାନ୍ତ ଓ ଶାସ୍ତ୍ର ପୁରାଣ ଆଦିର ବ୍ୟବସ୍ଥା ମଧ୍ୟ କରିଛନ୍ତି ।
କିନ୍ତୁ ମଣିଷର ଦୁର୍ଭାଗ୍ୟ ଯେ ସେ ସବୁ ଜାଣେ ଆଉ ବୁଝେ, ଅନୁଭବ ବି କରେ, କିନ୍ତୁ ଏହାର ସ୍ଥାୟିତ୍ୱଟି କ୍ଷଣିକ ଥାଏ । ଅର୍ଥାତ ଏ କ୍ଷଣକୁ ଅଛି ତ ପର କ୍ଷଣକୁ ନାହିଁ। ଶ୍ମଶାନ ଦେଇ ଅତିକ୍ରମ କଲାବେଳେ ହେଉ କିମ୍ବା ଶବ ପୋଡ଼ିବା ପାଇଁ ଆତ୍ମୀୟସ୍ବଜନଙ୍କ ସହ ଶ୍ମଶାନକୁ ଯିବାବେଳେ ହେଉ, ସେତେବେଳେ ତା’ ମନରେ ଏକ ଧାରଣା ଆସେ – କ’ଣ ଅଛି ଏ ସଂସାରରେ! ସବୁକିଛି ଏଠି ରହିଯିବ l ପ୍ରାଣପକ୍ଷୀ ଉଡ଼ିଗଲେ ସବୁ ସମ୍ପର୍କ ଶେଷ । ଆସିଛ ଏକା ଯିବ ବି ଏକା । ଆସିଥିଲ ଦିନେ, ଯିବ ବି ଦିନେ l ମଝିରେ ରହିଲା ମାତ୍ର ଅଧା ଦିନ l ସେଥିପାଇଁ ମହାତ୍ମାମାନେ କହିଛନ୍ତି, ଏ ହେଉଛି ଅଢ଼େଇ ଦିନର ସଂସାର । ହେଇ, ଏ ଲୋକଟା ଚାଲିଗଲା l କ’ଣ ନେଇଗଲା ଏ ସଂସାରରୁ? ମରଣ ସାଥିରେ କେହି ଯିବେନି । ଜୀବନ ସାରା ଯେତିକି ପୁଣ୍ୟ ଅର୍ଜନ କରିଥିବ ତାହା ହି ମଣିଷ ସହିତ ଯିବ । ନା, ଆଜିଠୁ ମୁଁ ମାୟା ମୋହ ତ୍ୟାଗ କରି ଈଶ୍ବରଙ୍କ ସାଧନ ଭଜନ କରିବି l ସଂସାରରେ ବେଶି ଆଉ ମାତିବି ନାହିଁ – ଏମିତି କେତେ କ’ଣ ମଣିଷ ଭାବନା କରେ କିନ୍ତୁ ଶ୍ମଶାନ କାର୍ଯ୍ୟ ସାରି ଘରେ ପହଞ୍ଚିବା ପରେ ପୁଣି ମୋ ପୁଅ, ମୋ ଝିଅ, ମୋ ସ୍ତ୍ରୀ, ମୋ ଜମି, ମୋ ଘର, ମୋ ଧନ ସମ୍ପତ୍ତି ବୋଲି ଭାବନା କରେ l
ଗୋଟେ ଗୋଟେ ମଣିଷ ତା’ ଜୀବନ କାଳରେ କେତେ ଥର ଶ୍ମଶାନକୁ ଯାଇଥିବେ, କେତେଥର ସଡ଼କ ଦୁର୍ଘଟଣାରେ କେହି ମୃତ୍ୟୁବରଣ କରିଥିବାର ଦେଖିଥିବେ, ଡାକ୍ତରଖାନା ଯିବା ରାସ୍ତାରେ ପଡ଼ିରହି ରୋଗବ୍ୟାଧିରେ ଜର୍ଜରିତ ହେଉଥିବାର କେତେ ଲୋକଙ୍କୁ ବି ଏ ଆଖି ଦେଖିଥିବ କିନ୍ତୁ ଏ ସବୁ ଦେଖିବା ପରେ ବି ବୈରାଗ୍ୟ ଘରର ଚାବି ଆଦୌ ଖୋଲେନା l ଘୁଷୁରି ପରି ସେ ପଙ୍କରେ ସେମିତି ଲୋଟିହୋଇ ଆନନ୍ଦ ପାଉଥାଏ ସିନା ସେଥିରୁ ବାହାରି ଆସିବାର ନାଁ ଗନ୍ଧ ଧରେନା l
ଏ ଧରଣର ବଦ୍ଧ ଜୀବମାନଙ୍କର ଚେତନାକୁ ଟିକେ ଉଖୁରାଇ ଦେବା ପାଇଁ ଭକ୍ତକବି ଜଗନ୍ନାଥ ଦାସ ‘ଶ୍ରୀମଦ୍ ଭାଗବତ’ରେ ଏକ ସୁନ୍ଦର ଉଦାହରଣ ଦେବାକୁ ଯାଇ କହିଲେ –
”ଏ ପୁତ୍ର ଦ୍ୱାରା ବନ୍ଧୁସଙ୍ଗ, ଯେସନେ ସମୁଦ୍ର ତରଙ୍ଗ l
ପଥିକ ଯେହ୍ନେ ବୃକ୍ଷମୂଳେ, ଶ୍ରମେ ବସନ୍ତି ଏକ ମେଳେ,
ଶ୍ରମ ସରିଲେ ଯେଝା ମତେ , ଚଳନ୍ତି ବୃକ୍ଷ ଛାଡ଼ି ପଥେ ।
ଏହି କାରଣେ ଗୃହ ବାସ, ନ କର ଏଥିରେ ବିଶ୍ୱାସ
(୧୧ ସ୍କନ୍ଦ,୧୮ମ ଅଧ୍ୟାୟ)
ଜଗନ୍ନାଥ ଦାସ ଏଠାରେ ବୃକ୍ଷ ତଳେ ଥକ୍କା ମେଣ୍ଟାଉଥିବା ବାଟୋଇମାନଙ୍କ ଉଦାହରଣ ଦେଇଛନ୍ତି । ପ୍ରବଳ ଖରା ହେଉଥିବ l ବହୁଦୂର ମଧ୍ୟ ଯିବାକୁ ଥିବ l ଖରାରେ ଚାଲି ଚାଲି ହାଲିଆ ହୋଇସାରିଲା ବେଳକୁ ପଥ ପାର୍ଶ୍ୱରେ ଥିବ ଏକ ଝଙ୍କାଳିଆ ବରଗଛ। ସୁଲୁସୁଲୁ ବାଆ ମଧ୍ୟ ବହୁଥିବ l ମନ ଆଉ ଆଗକୁ ଯିବାକୁ ଚାହିଁବନି l ମନ କହିବ ଏଠି ଟିକେ ବିଶ୍ରାମ ନେଇଯାନ୍ତେ। ଖରା ଟିକେ କମିଲେ ପୁଣି ଯାତ୍ରା ଆରମ୍ଭ କରିବା l ବୃକ୍ଷ ମୂଳକୁ ଜଣେ ଯିବ। ତା’ ଦେଖାଦେଖି ଆଉ ଚାରି ପାଞ୍ଚ ପଥିକ ବି ହାବୁଡିଯିବେ ସେଠି। କିଛି ସମୟ ପରେ ସେମାନଙ୍କ ଭିତରେ ପଚରାପଚରି ଆରମ୍ଭ ହୋଇଯିବ । ଜଣେ ଅନ୍ୟକୁ – କହିବ ତୁମ ଘର କୋଉଠା l କ’ଣ କାମ କର, ପୁଅ ଝିଅ କେତୋଟି, କ’ଣ ସେମାନେ କରୁଛନ୍ତି, ବାହା ହେଲେଣି ନା ନାହିଁ । ଏମିତି କଥା ହେଉ ହେଉ ନିଜ ଅଲକ୍ଷ୍ୟରେ ପରସ୍ପର ମଧ୍ୟରେ ଆତ୍ମୀୟତା ସୃଷ୍ଟି ହୋଇଯାଇଥିବ l ଏଣେ ବେଳ ମଧ୍ୟ ବୁଡ଼ିବାକୁ ଆରମ୍ଭ ହୋଇଯାଇଥିବ। ଥକ୍କା ବି ମେଣ୍ଟି ଯାଇଥିବ । ଏବେ ପରସ୍ପରଠାରୁ ବିଦାୟ ନେଇ ପୁଣି ଯାତ୍ରା ଆରମ୍ଭ । କିଛି ସମୟ ପୂର୍ବରୁ ଗହଳି ଚହଳିରେ ମୁଖରିତ ହୋଇଥିବା ବୃକ୍ଷମୂଳଟି ଏବେ କିନ୍ତୁ ଶୂନ୍ଶାନ୍, ଫାଙ୍କା l
ଆମ୍ଭ ଘର ବା ପରିବାର ହେଉଛି ଏକ ବୃକ୍ଷ l ପୁଅ,ଝିଅ, ସ୍ତ୍ରୀ, ବାପା, ବୋଉ, ନାତି ନାତୁଣୀ ଏମାନେ ସବୁ ହେଉଛନ୍ତି ପଥିକ l ଜନ୍ମ ହେବା ପୂର୍ବରୁ କେହି କାହାକୁ ଚିହ୍ନି ନ ଥିଲେ। ସମସ୍ତେ ଏକାଠି ହେଲେ l ସୁଖ ଦୁଃଖର ସଂସାର ଗଢ଼ିଲେ । ଯେେତେବେଳେ ଯାହାର ପାଳି ପଡ଼ିଲା ସେ ସେଠାରୁ ବିଦାୟ ନେଇ ଗଲା l ତୁମେ ବି ଦିନେ ଯିବ l ପିଢ଼ି ପରେ ପିଢ଼ି ଏମିତି କେତେ ଗଲେଣି, କିନ୍ତୁ ସେଇ ଘର ଅଛି l ସେଇ ଜାଗା ଅଛି l ବାପା କହୁଥିଲେ ଏ ଜାଗା ମୋର, ପୁଅ କହିଲା ମୋର, ପୁଅର ପୁଅ ନାତି ବି କହିଲା ମୋ ଘର, ମୋ ଜାଗା l ଟିକେ ଭାବି ଦେଖିଲେ, ଜାଗା ଓ ଘର କାହାର ନୁହେଁ l ତାହା ଯେମିତି ଥିଲା ସେମିତି ଅଛି l ଆମେମାନେ ଖାଲି ମିଛଟାରେ ‘ମୋର’ ‘ମୋର’ କହି ବିଦାୟ ନେଉଛୁ ଯାହା l
ପାଠକେ ଟିକେ ଗହୀରେଇ ଚିନ୍ତା କଲେ, ଆମେ ‘ଧନ’କୁ ମୋର ମୋର ବୋଲି କହୁଛୁ l ସେ କେବେ ଆମକୁ ତା’ ନିଜର ବୋଲି କହିଲାଣି କି? ସେ କାହାର ନୁହେଁ l ଆଜି ତୁମ ପାଖରେ ଅଛି, କାଲି ଆଉ କାହା ପାଖକୁ ଚାଲିଯିବ । ଘର ଜମିବାଡ଼ିର ଅବସ୍ଥା ବି ସେଇୟା l ସିଏ ଯଦି ଆମର ହୋଇଥାନ୍ତା ସେ ସବୁଦିନ ପାଇଁ ଆମ ପାଖରେ ରୁହନ୍ତା l ଆମେ ଏଠୁ ଗଲା ପରେ ବି ଆମ ସାଙ୍ଗରେ ଯାଆନ୍ତା l
ତଥାପି ମଣିଷର ମୋହ ତୁଟେନି l ଜୀବନ ସାରା ମୋର ମୋରର ମନ୍ତ୍ର ଜପ କରି ଚାଲିଥାଏ । ‘ମୋର’ ବୋଲି ଦାବି କରୁଥିବା ପଦାର୍ଥଗୁଡ଼ିକ ପ୍ରତି ମୁହୂର୍ତ୍ତରେ ମଣିଷର ହାତ ଛିଞ୍ଚାଡ଼ି ଦେଉଥିଲେ ବି ଏ ମଣିଷ ଏକପାଖିଆ ପ୍ରେମ (ୱାନ୍ ସାଇଡେଡ୍ ଲଭ୍) କରିବସେ। ଶରୀର କାହାର ? ନା ମୋର l ଆଚ୍ଛା, ତୁମ ଶରୀର ଉପରେ ତୁମର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅଛି ? ହଁ ଅଛି । ତେବେ ତୁମ ଅନିଚ୍ଛା ସତ୍ତ୍ୱେ ତୁମ ସୁନ୍ଦର ଶରୀରଟା ବୃଦ୍ଧ ହୋଇଯାଇଛି କିପରି? ଏବେ ପାଟି ଚୁପ୍ । ଏଇଠି ଧରାପଡ଼ିଲା ଯେ ଶରୀରଟା ତୁମର ନୁହେଁ ।
ମଣିଷର ମୋହକୁ ଭାଙ୍ଗିବା ପାଇଁ ସେ ମଲା ପରେ ଈଶ୍ୱର ତା’ର ତିନୋଟି ଜିନିଷକୁ ତୁରନ୍ତ ବଦଳେଇ ଦିଅନ୍ତି l ପ୍ରଥମ- ଶରୀରକୁ ଶବରେ ପରିଣତ କରିଦିଅନ୍ତି l କାରଣ ଶରୀରକୁ ସେ ସର୍ବାପେକ୍ଷା ଅଧିକ ଭଲପାଇ ବସିଥାଏ l ଦିତୀୟ- ପଦପଦବୀ ବା କ୍ଷମତା l ମନ୍ତ୍ରୀ, ନେତା, ଅଫିସର୍, କୋଟିପତି ଆଦି ଅନେକ ପଦବୀ ଧାରଣ କରିଥିବା ମଣିଷ ମରିବା ପରେ ତା’ର ଏ ପଦବୀଗୁଡ଼ିକୁ ଈଶ୍ୱର ହଟେଇ ଦିଅନ୍ତି । ସମସ୍ତଙ୍କ ପାଇଁ ଗୋଟିଏ ପଦବୀ ଲଗାନ୍ତି -ସ୍ବର୍ଗତ । କାରଣ ପଦପଦବୀକୁ ନେଇ ମଣିଷର ଅହଂକାର ଢେର୍ ଥାଏ ।
ତୃତୀୟଟି ହେଉଛି -ଠିକଣା l ମୋର କଟକରେ ଘର, ପୁରୀରେ ଘର, ଭୁବନେଶ୍ୱରରେ ଘର, ଦିଲ୍ଲୀରେ ଘର, ଆମେରିକାରେ ଘର। କମ୍ ଅହଂକାର! ମୃତ୍ୟୁପରେ ମଣିଷର ଏ ଠିକଣାକୁ ସଙ୍ଗେ ସଙ୍ଗେ ବଦଳେଇ ଦେଇ ଈଶ୍ୱର କୁହନ୍ତି- ବାବୁରେ ! ତୋର ଏବେକାର ଠିକଣା ହେଲା ମଶାଣି।
ତେବେ କାହିଁପାଇଁ ଏତେ ମୋହ, ଗର୍ବ, ସଂକୀର୍ଣ୍ଣତା, ମାର୍ପିଟ, ଦୁର୍ନୀତି, ଟାଉଟରି, ଅନ୍ୟାୟ ଆଉ ଅନୀତି? ବିଧିଯୁକ୍ତ କର୍ମ କରି ବିନା ମୋହ ଆଉ ଅହଂକାରରେ ସମାଜରେ କ’ଣ ରହିହେବନି ? ଦୁର୍ନୀତି, ଟାଉଟରି, ଠକାଠକି ନ କଲେ କ’ଣ ତୁମ ବା ପରିବାରର ପେଟ ଅପୋଷା ରହିଯିବ? ଯଦି ଏହା ‘ହଁ’ ବୋଲି ତୁମେ ଏବେ ବି କହୁଥାଅ, ତେବେ ଦୁଃଖର କଥା ତୁମକୁ ଆହୁରି ଦଣ୍ଡ ଭୋଗିବାକୁ ବାକି ଅଛି । ଯଦି ଉତ୍ତର ‘ନା’ – ତେବେ ଆଜିଠୁ ତୁମର ଈଶ୍ବରଙ୍କ ଦରବାର ଆଡ଼କୁ ପଡ଼ିଥିବା ସ୍ଫଟିକ ରାସ୍ତାରେ ତୁମର ଯାତ୍ରା ଆରମ୍ଭ ହେଲା ବା ହୋଇସାରିଛି ବୋଲି ଜାଣ l
-ଶ୍ରୀ ସନ୍ନ୍ୟାସୀ
-ଦିବ୍ୟାଲୋକ ସନ୍ଧାନେ
ରାମନଗର, ତେଲେଙ୍ଗାପେଣ୍ଠ, କଟକ