ଭଦ୍ରକ,୧୫।୫ (ସନାତନ ରାଉତ): ଭିଏତ୍ନାମର ଦାନାଙ୍ଗଠାରେ ଆୟୋଜିତ ଏସିଆନ ଟାଏକୋଣ୍ଡୋ ପ୍ରତିଯୋଗିତା ପାଇଁ ଜାତୀୟ ଦଳର କୋଚ୍ ଭାବେ ଓଡ଼ିଶା ଟାଏକୋଣ୍ଡୋର ସମ୍ପାଦକ ଭଦ୍ରକ ଜିଲା ବନ୍ତ ବ୍ଲକର ଚିନ୍ମୟ ବେହେରା(୩୬) ମନୋନୀତ ହୋଇଛନ୍ତି। ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ପ୍ରତିଯୋଗିତା ହେବ। ୨୮ଜଣ ଖେଳାଳିଙ୍କ ସହ ୨ ଜଣ କୋଚ୍ ଭାରତରୁ ଭିଏତ୍ନାମ ଖେଳିବା ପାଇଁ ଯାଇଛନ୍ତି। ଚିନ୍ମୟ ଏହା ପୂର୍ବରୁ ଶ୍ରୀଲଙ୍କା ଓ ଦୁବାଇ ପ୍ରତିଯୋଗିତାରେ କୋଚ୍ ଭାବେ ଦାୟିତ୍ୱ ତୁଲାଇଥିଲେ।
ତାଙ୍କର ଅଭିଜ୍ଞତା ଓ ପ୍ରଶିକ୍ଷଣ ଦ୍ୱାରା ଜାତୀୟ ଦଳ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଏହି ପ୍ରତିଯୋଗିତା ପାଇଁ ପୁନର୍ବାର କୋଚ୍ ଭାବେ ମନୋନୀତ କରାଯାଇଛି। ଏହି ପ୍ରତିଯୋଗିତାରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଚିନ୍ମୟ ଦୃଢ଼ ଆଶା ରଖିଥିବା କହିଛନ୍ତି।