ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ l ହଁ, ପାଠକେ! ଏହା ସମ୍ଭବ ହୋଇପାରେ l ଆମ ଆସ୍ତିକମାନଙ୍କ ଭିତରେ ଏମିତି ବହୁତ ମାନେ ଶହେରୁ ଅଶୀ ପ୍ରତିଶତ ବ୍ୟକ୍ତି ବାହାରିବେ, ଯେଉଁମାନେ ଏଇ ଅବସ୍ଥାରେ ଥାଆନ୍ତି l ଦିନ ରାତି ଲାଗିପାଗି ଠାକୁରଙ୍କୁ ଡାକୁଥିବେ l ପୂଜାର୍ଚ୍ଚନାରେ ଘଣ୍ଟା ଘଣ୍ଟା ସମୟ ବିତୁଥିବ l ପ୍ରତ୍ୟହ ଗୀତା ଭାଗବତ ପଢ଼ୁଥିବେ, ପ୍ରତି ମଙ୍ଗଳବାର ଶନିବାର ଦିନ ସୁନ୍ଦରାକାଣ୍ଡ ବା ହନୁମାନ ଚାଳିଶା ପାରାୟଣ କରୁଥିବେ l ସବୁଦିନେ ମନ୍ଦିର ଯାଉଥିବେ l ଏ କଥା ସବୁ ସତ କିନ୍ତୁ ମିଛ କଥାଟି ହେଉଛି ଈଶ୍ୱରଙ୍କ ଉପରେ ସେମାନଙ୍କର ଭରସା ଥାଏ l ଆଦୌ ନ ଥାଏ l ବିଶ୍ୱାସ ଥିବାରୁ ତ ଜଣେ ମନ୍ଦିର ଯାଏ କିମ୍ବା ପୂଜାପାଠ କରେ l କିନ୍ତୁ ଈଶ୍ୱରଙ୍କ ଉପରେ ଭରସା ନ ଥିବାରୁ ଈଶ୍ୱରଙ୍କଠାରୁ ସେମାନେ ଇପ୍ସିତ ଫଳ ପାଇ ପାରନ୍ତି ନାହିଁ l ଯଦି କେହି ଜଣେ ପଚାରେ – ଆଜ୍ଞା, ମୁଁ ଏତେ ପୂଜା ପାଠ କରୁଛି କିନ୍ତୁ ଯେଉଁ ଦୁଃଖୀ କି ସେଇ ଦୁଃଖୀ l ଫଳ କିଛି ମିଳୁନି l କ’ଣ ଏହାର କାରଣ? ଏହାର ଯେତେ କାରଣ ଥାଉ ନା କାହିଁକି ସବୁଠାରୁ ମୁଖ୍ୟ କାରଣ ହେଉଛି ଯେ ସେ ଯେଉଁ ଠାକୁରଙ୍କୁ ପୂଜା କରୁଛି ତାଙ୍କ ଠେଇଁ ବ୍ୟକ୍ତିଟିର ଭରସା ନାହିଁ l ସେଥିପାଇଁ ସେ ଦୁଃଖ ପାଉଛି l
ଆମେ ଈଶ୍ୱରଙ୍କ ଉପରେ ବିଶ୍ୱାସ ସ୍ଥାପନ କରିପାରୁ କିନ୍ତୁ ଯେତେବେଳ ପର୍ଯ୍ୟନ୍ତ ତାଙ୍କ ଉପରେ ଭରସା ନ ରଖିଛୁ ସେତେବେଳ ପର୍ଯ୍ୟନ୍ତ ବିଶ୍ୱାସର କିଛି ଅର୍ଥ ନାହିଁ l ଭରସା ବ୍ୟତିରେକ ବିଶ୍ୱାସ ପଙ୍ଗୁ ଆଉ ଅର୍ଥହୀନ l ଭରସାଟି ବିଶ୍ୱାସ ହୋଇପାରେ କିନ୍ତୁ ବିଶ୍ୱାସ କେବେ ଭରସାର ସ୍ଥାନ ନେଇପାରିବ ନାହିଁ l ତେବେ କଥା ଉଠିବ – ବିଶ୍ୱାସ କ’ଣ ଏବଂ ଭରସା କ’ଣ? ବିଶ୍ୱାସ ଓ ଭରସା ଭିତରେ କି ପାର୍ଥକ୍ୟ ଅଛି? ଏ ଦୁଇଟି ଶବ୍ଦ, ଯାହା ଆମକୁ ଈଶ୍ୱରଙ୍କ ଆଡ଼କୁ ବାଟ କଢ଼େଇ ନେଇଥାଏ, ସମ୍ବନ୍ଧରେ ଭଲ ଭାବେ ଜାଣିବା ପାଇଁ ଆସନ୍ତୁ ଆମେ ବାଉଁଶ ରାଣୀ ଖେଳ ଚାଲିଥିବା ସ୍ଥାନ ଆଡ଼େ ଟିକେ ବୁଲିଦେଇ ଆସିବା l
ଏ ବାଉଁଶରାଣୀ ଖେଳ ଭାରତର ଚାରିଆଡେ ଦେଖାଯାଏ l ଦୁଇ ପଟେ ଦୁଇଟି ଶକ୍ତ ବାଉଁଶ ବା ଖୁଣ୍ଟ ପୋତା ଯାଇଥିବ l ଦୁଇଟି ବାଉଁଶକୁ ସଂଯୋଗ କରୁଥିବ ଏକ ସରୁଆ ଦଉଡି l ଏ ଦଉଡିଟି ଭୂଇଁଠାରୁ ପନ୍ଦର କୋଡିଏ ଫୁଟ ଉଚ୍ଚରେ ଥିବ l ବାଉଁଶରାଣୀ ବୋଲାଉଥିବା ମହିଳା ଜଣକ ନିଜ ଦୁଇ କାନ୍ଧରେ ନିଜ ଦୁଇ ଟିକି ପିଲାକୁ ବସାଇ ଦୁଇ ହାତରେ ଏକ ଲମ୍ବା ବାଉଁଶ ଧରି ଉକ୍ତ ଦଉଡି ଉପରେ ପାଦ ରଖି ଏପଟ ବାଉଁଶରୁ ସେପଟ ବାଉଁଶ ପାଖକୁ ଚାଲି ଚାଲି ଯିବ l କି ବିପଦପୂର୍ଣ୍ଣ ଖେଳ ଇୟେ! l ସାମାନ୍ୟ ଟିକେ ଏପଟ ସେପଟ ହୋଇଗଲେ ଦଉଡି ଉପରୁ ବାଉଁଶରାଣୀ ନିଜେ ତ ଏତେ ଉଚ୍ଚରୁ ଖସି ଯାଇପାରେ ତା’ ସହିତ ନଷ୍ଟ ହୋଇଯାଇପାରେ ଦୁଇ ଦୁଇଟି କଅଁଳ ଜୀବନ l
ବିଶ୍ୱାସ ଏବଂ ଭରସା ଭିତରେ ଥିବା ମହାଫରକକୁ ଜାଣିବା ପାଇଁ ଏଇ ବାଉଁଶରାଣୀ ଖେଳକୁ ଏକ ଉଦାହରଣ ରୂପେ ନିଆଯାଇପାରେ l ଖେଳ ଚାଲିଛି l ଚାରିପଟେ ଶହ ଶହ ଦେଖେଣାହାରୀ ଏ ଖେଳକୁ ଉପଭୋଗ କରିବା ପାଇଁ ଉପସ୍ଥିତ l ଠିକ ଏଇ ସମୟରେ ବାଉଁଶରାଣୀ ନିଜ ଦୁଇ କୋଡ଼ପୋଛା ଛୁଆଙ୍କୁ ଦୁଇ କାନ୍ଧରେ ବସାଇ ବାଉଁଶ ଉପରକୁ ଚଢ଼ିଲା l ତଳେ ଥିବା ତା’ ସ୍ବାମୀ ତା’ ହାତକୁ ଏକ ସରୁଆ ଲମ୍ବା ବାଉଁଶ ବଢ଼ାଇଦେଲା l ବାସ, ଛୁଆ ଦୁଇଟିକୁ କାନ୍ଧରେ ବସାଇ ବାଉଁଶରାଣୀ ଏବେ ଦଉଡି ଉପରେ ଚାଲିବା ଆରମ୍ଭ କଲା l ସବୁ ଦର୍ଶକ ତଟସ୍ଥ l କେହି କେହି ପାଟି ମେଲା କରି ବିସ୍ମୟରେ ଆଁ ଟି ମାନ କରି ଚାହିଁ ରହିଥାନ୍ତି l ଅନ୍ୟ କେହି ତାଳି ମାରି ଉତ୍ସାହିତ କରୁଥାନ୍ତି l ଧୀରେ ଧୀରେ ବାଉଁଶରାଣୀ ସେପଟ ଖୁଣ୍ଟ ପାଖରେ ପହଞ୍ଚି ଗଲା l ଦର୍ଶକମାନେ କିଏ ପାଞ୍ଚ କିଏ ଦଶ, କିଏ ପଚାଶ, ଶହେ – ଏମିତି ଅର୍ଥ ମାନ ପକାଇଲେ l କିଏ କିଏ ବାଉଁଶରାଣୀ ସହ ହାତ ମିଳାଇ ତା’ ସାଧନାକୁ ତାରିଫ କରୁଥାନ୍ତି l ଏହି ସମୟରେ ବାଉଁଶରାଣୀ କହିଲା – ଆଜ୍ଞା, ଆପଣମାନଙ୍କୁ ନମସ୍କାର l ମୁଁ ଏବେ ଏପଟ ଖୁଣ୍ଟରୁ ସେପଟ ଖୁଣ୍ଟ ପାଖକୁ ପୂର୍ବ ଅବସ୍ଥା ପରି ଯାଇପାରିବି କି ନା? ସମସ୍ତେ କହିଲେ – ହଁ, ଆପଣ ଯାଇ ପାରିବେ l
– ମୋ ଉପରେ ଆପଣମାନଙ୍କ ବିଶ୍ୱାସ ଅଛି ତ?
ସମସ୍ତେ ଏକ ସ୍ବରରେ କହିଲେ, ହଁ, ବିଶ୍ୱାସ ଅଛି l
– ଯଦି ବିଶ୍ୱାସ ଅଛି,ତେବେ ଆପଣମାନଙ୍କ ଭିତରୁ କେହି ନିଜ ଛୁଆଙ୍କୁ ମୋ କାନ୍ଧରେ ବସିବା ପାଇଁ ଅନୁମତି ଦେଇପାରିବେ କି?
ବାସ୍, ବାଉଁଶରାଣୀର ଏତିକି କଥାରେ ଉପସ୍ଥିତ ଦର୍ଶକଙ୍କ ପାଟି ଚୁପ l କିଏ କାହିଁକି ନିଜ ଛୁଆଙ୍କ ଜୀବନକୁ ବାଜି ଲଗାଇ ବାଉଁଶରାଣୀର କାନ୍ଧକୁ ଟେକିଦେବ ଯେ? ସୁତରାଂ କାହାର ଭରସା ନାହିଁ l ବାଉଁଶରାଣୀ ନିଜ ଛୁଆଙ୍କୁ କାନ୍ଧରେ ବସାଇ ଦଉଡି ଉପରେ ଚାଲି ପାରିବ – ଏ ବିଶ୍ୱାସ ଆମର ଅଛି କିନ୍ତୁ ଆମ ଛୁଆଙ୍କୁ ସେଇ ବାଉଁଶରାଣୀର କାନ୍ଧକୁ ଟେକିଦେବା ପାଇଁ ଆମର ସେତିକି ଭରସା ନାହିଁ l
ଏହା ହେଉଛି ବିଶ୍ୱାସ ଆଉ ଭରସା ଭିତରେ ଥିବା ପାର୍ଥକ୍ୟ l ଈଶ୍ୱରଙ୍କ ଉପରେ ବିଶ୍ୱାସ ନୁହେଁ, ଭରସା ସ୍ଥାପନ କରିବା ଦରକାର l ଭରସା ଅଭାବରୁ ଦୁଃଖରେ ପଡିଲେ ଈଶ୍ୱରବିଶ୍ୱାସୀ ମଣିଷମାନେ ଆଖିରୁ ଲୁହ ଗଡ଼ାନ୍ତି l ଭୋ ଭୋ ହୋଇ କାନ୍ଦନ୍ତି l କିନ୍ତୁ ଯିଏ ଭରସା ରଖିଥାଏ ସିଏ କେବେ କାନ୍ଦେନା l ଦୁଃଖରେ ସେ ହସେ l କାରଣ ସେ ଭଲ ଭାବେ ଜାଣିଥାଏ ଯେ ସେ ଯେଉଁ ଈଶ୍ୱରଙ୍କୁ ଭରସା କରିଛି, ସେ ହେଉଛନ୍ତି ମଙ୍ଗଳମୟ l ସେ କାହାର ଅମଙ୍ଗଳ କରନ୍ତି ନାହିଁ l ମୋତେ ଦୁଃଖ ଦେବା ମୂଳରେ ହିଁ ତାଙ୍କର ଅହେତୁକ କୃପା ନିହିତ ଅଛି l ଏ ଦୁଃଖ ହିଁ ମୋ ପାଇଁ ସୁଖ l ପରୀକ୍ଷାରେ ପୁଅ ଫେଲ ହେଲେ, ଗାଡ଼ି ଦୁର୍ଘଟଣାରେ ସ୍ବାମୀ ଆହତ ହୋଇ ଡାକ୍ତରଖାନାରେ ପଡିଲେ, ଘରେ ଖାଇବାକୁ ନ ଥିଲେ, ନିଜ ଚାକିରିରୁ ସସ୍ପେଣ୍ଡ ଆଦେଶ ମିଳିବା ପରି ଏ ଯାବତୀୟ ଦୁଃଖ ଈଶ୍ୱରଙ୍କ ଉପରେ ଭରସା ରଖିଥିବା ମଣିଷକୁ ଆଦୌ ଦୋହଲାଇ ପାରେନା l ଅନେକ ଆସ୍ତିକ ଲୋକଙ୍କୁ ଏ ଲେଖକ ଦୁଃଖରେ କାନ୍ଦୁଥିବାର ଦେଖିଛି, ବ୍ୟବସାୟରେ କ୍ଷତି ହେଲେ ବେକରେ ତୁଳସୀ ମାଳା ପକାଇଥିବା ଅନେକ ବ୍ୟବସାୟୀଙ୍କୁ ମୁଣ୍ଡ କୋଡ଼ି ହେଉଥିବାର ଦୃଶ୍ୟକୁ ମଧ୍ୟ ଏ ଆଖି ଦେଖିଛି l ସଭାରେ ଧର୍ମ କଥା କହୁଥିବା ଅନେକ ମଣିଷ ପାରିବାରିକ ଜଞ୍ଜାଳରେ ଛନ୍ଦି ହୋଇ ବ୍ୟସ୍ତତା ପ୍ରକାଶ କରୁଥିବାର କଥା ମଧ୍ୟ ଏ କାନ ଶୁଣିଛି, କପାଳରେ ଚିତା ଚୈତନ କାଟିଥିବା ମଣିଷଟି ମୁହଁରେ ନିଜ ଝିଅ ଶାଶୁ ଘରେ ଭଲରେ ଚଳିପାରୁନି ବୋଲି କହି ମୁଣ୍ଡରେ ହାତ ଦେଇ ବସୁଥିବାର ଦୃଶ୍ୟ ମଧ୍ୟ ଏ ଆଖି ଦେଖୁଚି l ଏଗୁଡିକ ଦେଖିଲେ ଲାଗେ ଯେ ଏମାନେ ଆଧ୍ୟାତ୍ମିକ ପଥରେ ପାଦ ଥାପିଛନ୍ତି ସତ, କିନ୍ତୁ ପାଦଟିକୁ ଦୃଢ଼ ଭାବେ ସଂସ୍ଥାପିତ କରି ପାରିନାହାନ୍ତି, ଖାସ୍ କେବଳ ଈଶ୍ୱରଙ୍କ ପ୍ରତି ଥିବା ସେମାନଙ୍କ ‘ଭରସା’ ଅଭାବରୁ l ଈଶ୍ୱରଙ୍କ ଠି ବିଶ୍ୱାସ ଅଛି କିନ୍ତୁ ଭରସା ଟିକକ ନାହିଁ l
ଈଶ୍ୱରଙ୍କ ଦର୍ଶନ ପାଇବା ପାଇଁ ଜଣେ ବ୍ୟକ୍ତି ପାହାଡ଼ ଅଗ୍ର ଭାଗରେ ବସି ଘୋର ତପସ୍ୟା ଆରମ୍ଭ କରିଦେଲା l ଏମିତି କିଛି ବର୍ଷ ସାଧନାରେ ବିତିଗଲା l ଦିନେ ବ୍ୟକ୍ତି ଜଣକ ଏମିତି ପାହାଡ଼ ଉପରେ ଠିଆ ହୋଇ ତଳକୁ ଦୃଷ୍ଟି ନିକ୍ଷେପ କରି ଚାହିଁ ରହିଥିବା ବେଳେ ଅସାବଧାନତାବଶତଃ କେଜାଣି କେମିତି ସେ ତଳକୁ ଖସି ପଡିଲା l ଉପରୁ ତଳକୁ ଖସୁଥିବା ବେଳେ ପାହାଡ଼ ସନ୍ଧିରେ ଥିବା ଏକ ଗଛର ମୂଳକୁ ଦୈବାତ୍ ଜାବୁଡି ଧରି ଓହଳି ରହିଲା l ରକ୍ଷା କରିବା ପାଇଁ ମନେ ମନେ ସେ ଈଶ୍ୱରଙ୍କୁ କାତର ପ୍ରାର୍ଥନା କଲା l
ପ୍ରାର୍ଥନା ଶୁଣି ଈଶ୍ୱର ତତ୍କ୍ଷଣାତ ବ୍ୟକ୍ତିଟି ଓହଳି ରହିଥିବା ସ୍ଥାନର ଠିକ୍ କିଛି ଦୂର ତଳେ ଆବିର୍ଭାବ ହୋଇ ନିଜ ଦୁଇ ହାତକୁ ପ୍ରସାରିତ କରି କହିଲେ – ବତ୍ସ! ତୁମର ବିକଳ ପ୍ରାର୍ଥନା ଶୁଣି ମୁଁ ଏବେ ତୁମ ତଳେ ବାହୁ ପ୍ରସାରି ତୁମକୁ ରକ୍ଷା କରିବା ପାଇଁ ଅପେକ୍ଷାରତ l ଏବେ ତୁମେ ଗଛର ମୂଳକୁ ଛାଡ଼ି ଦେଇ ମୋ କୋଳକୁ ଡେଇଁ ପଡ଼ l
ବ୍ୟକ୍ତି ଜଣକ କହିଲେ – ନାଇଁ ପ୍ରଭୁ! ପହିଲେ ମୋତେ ଆଗ ଧରନ୍ତୁ l ପରେ ମୁଁ ଗଛର ମୂଳକୁ ଛାଡ଼ିବି l
ଏହା ହିଁ ହେଉଛି ‘ବିଶ୍ୱାସ’ ଏବଂ ‘ଭରସା’ର କଥା l
– ପ୍ରିନ୍ସିପାଲ, ଆପେକ୍ସ ଆଇ.ଟି.ଆଇ., ପତ୍ରକଣା, କସର୍ଦା, କଟକ
ମୋ : ୯୪୩୭୨୯୨୬୯୯