ୟୁଟ୍ୟୁବରେ ଚିନ୍ମୟଙ୍କ ଶିକ୍ଷାଦାନ

ବେଗୁନିଆ,୩୦।୧୨(ଡି.ଏନ୍‌.ଏ): ସାମାଜିକ ଗଣମାଧ୍ୟମ ୟୁଟ୍ୟୁବ ଜରିଆରେ ମାଗଣାରେ ଶିକ୍ଷାଦାନ ଦେଇ ଗରିବ ଓ ଯୁବପିଢ଼ିଙ୍କ ଜ୍ଞାନ ବଢ଼ାଇବା ସହ ଚାକିରି ଆଶାୟୀ ଥିବା ଯୁବତୀଯୁବକଙ୍କୁ ଶିକ୍ଷା କ୍ଷେତ୍ରରେ ସହଯୋଗ କରୁଛନ୍ତି ଯୁବ ଏଜୁକେଟର ଚିନ୍ମୟ ମହାପାତ୍ର। ମାଗଣା ଶିକ୍ଷା ଦାନ ଦେବା ତାଙ୍କର ମୂଳ ଲକ୍ଷ୍ୟ। ଖୋର୍ଦ୍ଧା ଜିଲା ବେଗୁନିଆ ଅଞ୍ଚଳର ଏହି ଯୁବ ଏଜୁକେଟରଙ୍କ ଏଭଳି ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ଯୁବପିଢ଼ି ସହଜରେ କଠିନ ବିଷୟକୁ ବୁଝିପାରୁଛନ୍ତି। ଚିନ୍ମୟ ୟୁଟ୍ୟୁବରେ ‘ଏକ୍ସପ୍ଲୋରିଂ ଗୋଲ’ ନାମ ଦେଇଛନ୍ତି। ଏଥିରେ ସେ ଏକ ହଜାରରୁ ଅଧିକ ଭିଡିଓ ଅପଲୋଡ କରିଛନ୍ତି। ବି.ଇଡି ପ୍ରବେଶିକା ପରୀକ୍ଷା, ଓଟିଇଟି, ଓଏସ୍‌ଏସ୍‌, ଟିଇଟି, ସିଟିଇଟି, ଶିକ୍ଷକ ନିଯୁକ୍ତି ପରୀକ୍ଷା, ଓଡ଼ିଶା ଶିକ୍ଷା ସେବା ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଉଦ୍ଦିଷ୍ଟ। ତାଙ୍କ ଶିକ୍ଷାଦାନ ଶୈଳୀ ସହଜ ଓ ସରଳ ହୋଇଥିବାରୁ ବହୁ ଛାତ୍ରୀଛାତ୍ର ବୁଝିପାରି ବିଭିନ୍ନ ପରୀକ୍ଷାରେ କୃତୀ ଅର୍ଜନ କରିଛନ୍ତି। ଓଡ଼ିଶା ଶିକ୍ଷା ସେବା ସମ୍ପର୍କିତ ଭିଡିଓଟି ବହୁ ପସନ୍ଦ ଯୋଗ୍ୟ ହୋଇଛି। ଏହି ଭିଡିଓ ରେ ବହୁ ଲାଇକ ଓ କମେଟ ପାଇ ନିଜକୁ ଧନ୍ୟ ମନେ କରିଛନ୍ତି। ଅଧିକ ଉତ୍ସାହିତ ହୋଇ ସେ ମଧ୍ୟ ଏକ ପୁସ୍ତକ ’ପେଡାଗୋଜି’ ଖୁବ୍‌ଶୀଘ୍ର ପ୍ରକାଶ କରିବା ପାଇଁ ଲାଗିପଡିଛନ୍ତି। ନିଜ ଚ୍ୟାନେଲକୁ ଆଗକୁ ଅଧିକ ବଢ଼ାଇବା ସହ ମାଗଣା ଶିକ୍ଷା ଯୋଗାଇ ଦେବା ପାଇଁ ଅଭିଳାଷ ରଖିଛନ୍ତି ବୋଲି ଚିନ୍ମୟ କହିଛନ୍ତି।

Share