Categories: ଜାତୀୟ

ଇଣ୍ଡିଆ ମେଣ୍ଟ ଛାଡିପାରନ୍ତି ନୀତୀଶ, ବିରୋଧୀ ଦଳଙ୍କୁ ତାଙ୍କ ଉପରେ ଭରସା ନାହିଁ: ଚିରାଗ

ନୂଆଦିଲ୍ଲୀ,୧୮।୯: ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ଚ୍ୟାଲେଞ୍ଜ କରିବାର ଲକ୍ଷ୍ୟ ନେଇ ଇଣ୍ଡିଆ ମେଣ୍ଟରେ ୨୮ ବିରୋଧୀ ଦଳ ଏକଜୁଟ ହୋଇଛନ୍ତି। ଇଣ୍ଡିଆ ମେଣ୍ଟର ତିନୋଟି ବୈଠକ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇସାରିଛି, କିନ୍ତୁ ଏହାର ସଂଯୋଜକ ନାମ ଉପରେ କୌଣସି ସହମତି ହୋଇପାରିନାହିଁ। ଏହି ସମୟରେ ଲୋକ ଜନଶକ୍ତି ପାର୍ଟି (ରାମ ବଳାସ) ଅଧ୍ୟକ୍ଷ ଚିରାଗ ପାସୱାନ ଏକ ବଡ ଦାବି କରି କହିଛନ୍ତି ଯେ, ବିରୋଧୀ ଦଳଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଭରସା ନାହିଁ।

ରବିବାର (ସେପ୍ଟେମ୍ବର ୧୭)ରେ ପ୍ରୟାଗରାଜ ବିମାନବନ୍ଦରରେଖବରଦାତାମାନଙ୍କ ସହ କଥାବାର୍ତ୍ତା ବେଳେ ଏଲ୍‌ଜେପି ଏମ୍‌ପି କହିଛନ୍ତି ଯେ, ନୀତୀଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି। ତେଣୁ, ତାଙ୍କର ଅଭିଳାଷ ପୂରଣ ନ ହେବା ହେତୁ ସେ ଯେକୌଣସି ସମୟରେ ମେଣ୍ଟ ଛାଡପାରନ୍ତି। ରାଜ୍ୟରେ ତାଙ୍କ ସାଥୀ ଦଳ ଆରଜେଡି ମୁଖ୍ୟ ଲାଲୁ ଯାଦବ ନିଜେ ତାଙ୍କୁ ପସନ୍ଦ କରୁନଥିବା ଚର୍ଚ୍ଚା ହେଉଛି।

ଚିରାଗ କହିଛନ୍ତି, ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ଶାସନ କାଳରେ ନୀତୀଶ କୁମାର ବିହାରରେ ‘ଜଙ୍ଗଲ ରାଜ’କୁ ନେଇ ଆରଜେଡି ସରକାରଙ୍କ ଉପରେ ଅଭିଯୋଗ ଆଣିଥିଲେ। ବିହାରର ଉଭୟ ନେତା ସର୍ବଦା ପରସ୍ପର ବିରୋଧରେ ଥିଲେ କିନ୍ତୁ ଆଜି ସେମାନେ କେବଳ କ୍ଷମତାର ଲୋଭରୁ ଏକାଠି ହୋଇଛନ୍ତି। ସେ କହିଛନ୍ତି, ଆରଜେଡି-ଜେଡିୟୁ ମେଣ୍ଟ ଏକ ପ୍ରତିବାଦର ପରିପୂର୍ଣ୍ଣ ମେଣ୍ଟ।

ନୀତୀଶ କୁମାରଙ୍କ ରାଜନୈତିକ ବିଶ୍ୱସନୀୟତା ଉପରେ ଚିରାଗ କହିଛନ୍ତି ଯେ, ସେଥିପାଇଁ ତାଙ୍କୁ ସଂଯୋଜକ ଦାୟିତ୍ୱ ଦିଆଯାଇନାହିଁ। ଚିରାଗ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ସେ ଯେକୌଣସି ସମୟରେ ଇଣ୍ଡିଆ ମେଣ୍ଟ ଛାଡିପାରନ୍ତି କାରଣ ନୀତୀଶ କୁମାର ଏନଡିଏ ଏବଂ ମହାମେଣ୍ଟକୁ ମଧ୍ୟ ବିଶ୍ୱାସଘାତକତା କରିଛନ୍ତି। ଏହି କାରଣରୁ ତାଙ୍କୁ ବିରୋଧୀ ଦଳ ବିଶ୍ୱାସ କରୁନାହାଁନ୍ତି।

Share