Categories: ଖେଳ

ଚିରମାକୋଙ୍କ ଡବଲ ଗୋଲ

ଡୁସେଲଡର୍ଫ (ଜର୍ମାନୀ), ୧୯।୮: ଓଡ଼ିଶାର ପ୍ରତିଭାସମ୍ପନ୍ନ ଖେଳାଳି ସୁଦୀପ ଚିରମାକୋଙ୍କ ଡବଲ ଗୋଲ ବଳରେ ଭାରତ ଏଠାରେ ଶୁକ୍ରବାର ଆରମ୍ଭ ହୋଇଥିବା ଚତୁଃରାଷ୍ଟ୍ରୀୟ ଜୁନିୟର ପୁରୁଷ ହକି ଟୁର୍ନାମେଣ୍ଟର ଏକ ମ୍ୟାଚରେ ସ୍ପେନ୍‌କୁ ୬-୨ ଗୋଲରେ ପରାସ୍ତ କରିଛି। ଏକଦା ୦-୨ରେ ପଛୁଆ ରହିଥିବା ଭାରତ ଚିରମାକୋ ଓ ରୋହିତଙ୍କ ଡବଲ ଗୋଲ ଫଳରେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। କେବଳ ସେତିକି ନୁହେଁ ବଡ଼ ବ୍ୟବଧାନରେ ବିଜୟୀ ହେବା ସହ ଦଳ ଅଭିଯାନ ଆରମ୍ଭ କରିଛି।
ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିବା ସ୍ପେନ୍‌ ୧ମ ମିନିଟରେ ନିକୋଲାସ ଆଲଭାରେଜଙ୍କ ଫିଲ୍ଡ ଗୋଲ ବଳରେ ଅଗ୍ରଣୀ ନେବାସହ ଭାରତ ଉପରେ ଚାପ ପକାଇଥିଲା। ପ୍ରଥମ କ୍ୱାର୍ଟରରେ ଭାରତ ଗୋଲ ପରିଶୋଧ କରିବାକୁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇ ନ ଥିଲା। ୨୩ତମ ମିନିଟରେ ଗୁଇଉ କୋରୋମିନାସଙ୍କ ଆଉ ଏକ ଫିଲ୍ଡ ଗୋଲ ପରେ ସ୍ପେନ୍‌ର ଅଗ୍ରଣୀ ବ୍ୟବଧାନ ୨-୦ରେ ପହଞ୍ଚତ୍ ଯାଇଥିଲା। ୨୫ତମ ମିନିଟରେ ଭାରତକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଅନ୍ୟତମ ଓଡ଼ିଶା ଖେଳାଳି ଅମନଦୀପ ଲାକ୍ରା ବ୍ୟବଧାନକୁ ହ୍ରାସ କରିଥିଲେ। ଏହାପରେ ଭାରତ ଆଉ ପଛକୁ ଫେରି ଚାହିଁ ନ ଥିଲା। ଏହାର ୩ ମିନିଟ ପରେ ଆଉ ଏକ ପେନାଲ୍ଟି କର୍ନରରୁ ଗୋଲଦେଇ ରୋହିତ ମ୍ୟାଚକୁ ୨-୨ ସ୍ଥିତିକୁ ନେଇ ଆସିଥିଲେ। ୩୫ତମ ମିନିଟରେ ଚିରମାକୋଙ୍କ ଫିଲ୍ଡ ଗୋଲ ବଳରେ ଭାରତ ପ୍ରଥମଥର ପାଇଁ ମ୍ୟାଚରେ ଅଗ୍ରଣୀଲାଭ କରିଥିଲା। ୪୫ତମ ମିନିଟରେ ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଦଳ ପକ୍ଷରୁ ୪ର୍ଥ ଗୋଲ ଦେଇଥିଲେ ରୋହିତ। ଶେଷ କ୍ୱାର୍ଟରରେ ମଧ୍ୟ ଭାରତର ଆଧିପତ୍ୟ ରହିଥିଲା। ୫୩ତମ ମିନିଟରେ ବବି ସିଂ ଧାମି ଗୋଲ ଦେଇଥିବାବେଳେ ମ୍ୟାଚ ଶେଷ ହେବାର ୨ ମିନିଟ ପୂର୍ବରୁ ଅର୍ଥାତ୍‌ ୫୮ତମ ମିନିଟରେ ଚିରମାକୋ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରି ଭାରତର ଅଗ୍ରଣୀକୁ ୬-୨ରେ ପହଞ୍ଚାଇ ଦେଇଥିଲେ। ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସ୍ପେନ୍‌ ପାଖରେ ଆଉ ସମୟ ନ ଥିଲା। ଭାରତ ଏହାର ପରବର୍ତ୍ତୀ ମ୍ୟାଚ ଶନିବାର ଆୟୋଜକ ଜର୍ମାନୀ ବିପକ୍ଷରେ ଖେଳିବ।

Share