ଅସମ୍ପୂର୍ଣ୍ଣ ଶ୍ରେଣୀଗୃହ, ବାରଣ୍ଡାରେ ପାଠପଢ଼ା

କୋକସରା,୧୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ହେଲେ କେତେକ ସ୍ଥାନରେ ଭିତ୍ତିଭୂମି ଅଭାବରୁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଏମିତି ଏକ ଦୃଶ୍ୟ କଳାହାଣ୍ଡି ଜିଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନରେ ଥିବା ଡାଲଗୁମା ପଞ୍ଚାୟତର ଚିତାମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଦେଖିବାକୁ ମିଳିଛି। ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ ବାରଣ୍ଡାରେ ପାଠପଢା ଚାଲିଛି।
ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୭୮ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଶ୍ରେଣୀ କୋଠରି ଅଭାବ ଯୋଗୁ ପ୍ରଥମ, ଦ୍ବିତୀୟ, ତୃତୀୟ ଓ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ର ଦୁଇଟି ବାରଣ୍ଡାରେ ବସୁଥିବାବେଳେ ଅନ୍ୟ ୪ଗୋଟି ଶ୍ରେଣୀର ଛାତ୍ରୀଛାତ୍ର ଦୁଇଟି ଶ୍ରେଣୀ କୋଠରିରେ ବସି ପାଠ ପଢୁଛନ୍ତି। ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକ ସହ ୮ଜଣ ଶିକ୍ଷକ ଆବଶ୍ୟକ ଥିବାବେଳେ ବର୍ତ୍ତମାନ ୪ଜଣ ଶିକ୍ଷକ ରହିଛନ୍ତି। ତେବେ ପ୍ରଧାନ ଶିକ୍ଷକ ଅଫିସ କାର୍ଯ୍ୟ ସମ୍ପାଦନା କରୁଥିବା ବେଳେ ୩ଜଣ ଶିକ୍ଷକରେ ୮ଟି ଶ୍ରେଣୀର ପିଲାଙ୍କୁ ଶିକ୍ଷା ଦାନ ଚାଲିଛି। ବିଦ୍ୟାଳୟର ରୋଷେଇ ଗୃହ ଗତବର୍ଷ ଅଗଷ୍ଟ ମାସରେ ବର୍ଷା ଯୋଗୁ ଭାଙ୍ଗିଯାଇଥିଲା। ଫଳରେ ଦୀର୍ଘଦିନରୁ ମଧ୍ୟାହ୍ନଭୋଜନ ରୋଷେଇ କାର୍ଯ୍ୟ ଖୋଲା ଆକାଶ ତଳେ ପଲିଥିନ ତଳେ ଚାଲିଆସୁଥିଲା। ବର୍ତ୍ତମାନ ବର୍ଷା ଆରମ୍ଭ ହୋଇଥିବା ବେଳେ ସ୍କୁଲ ବାରଣ୍ଡାରେ ରୋଷେଇ କାର୍ଯ୍ୟ ଚାଲିଆସୁଛି। ଅନ୍ୟପଟେ ୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ଗତ ୧୦ ନଭେମ୍ବର ୨୦୨୩ରୁ ଆରମ୍ଭ ହୋଇଥିବା ଅତିରିକ୍ତ ଶ୍ରେଣୀଗୃହ କାର୍ଯ୍ୟ ଅଟକି ରହିଥିବାରୁ ଅବିଭାବକ ଓ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଆବଶ୍ୟକ ଶିକ୍ଷକ ନିଯୁକ୍ତି ସହ ତୁରନ୍ତ ଶ୍ରେଣୀ କୋଠରି ନିର୍ମାଣ ଓ ରୋଷେଇ ଗୃହ ପାଇଁ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁକାନ୍ତ କୁମାର ବେହେରାଙ୍କୁ ପଚାରିବାରୁ ସ୍କୁଲ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲାଣି ଓ ଖୁବ୍‌ଶୀଘ୍ର ଶେଷ ହେବ ବୋଲି କହିଛନ୍ତି।

Share