Categories: ଜାତୀୟ

ଚିତ୍ରାଙ୍କୁ ସିବିଆଇ ଜେରା

ମୁମ୍ବାଇ,୧୯।୨: ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ତଥା ଏମ୍‌ଡି ଚିତ୍ରା ରାମକ୍ରିଷ୍ଣାଙ୍କୁ ଶୁକ୍ରବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଅଧିକାରୀମାନେ ଜେରା କରିଛନ୍ତି। ତାଙ୍କ ସମେତ ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରବି ନାରାୟଣ ଏବଂ ମୁଖ୍ୟ ଅପରେଟିଂ ଅଫିସର ଆନନ୍ଦ ସୁବ୍ରମଣ୍ୟନ୍‌ ଯେପରି ଦେଶ ଛାଡ଼ି ପଳାଇଯାଇ ନ ପାରିବେ ସେଥିପାଇଁ ସେମାନଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି ହୋଇଛି। ଗୁରୁବାର ଆୟକର ବିଭାଗର ଅଧିକାରୀମାନେ ଚିତ୍ରାଙ୍କ ମୁମ୍ବାଇ ବାସଭବନ ଏବଂ ସୁବ୍ରମଣ୍ୟନ୍‌ଙ୍କ ଚେନ୍ନାଇ ଘରେ ଚଢ଼ାଉ କରିଥିଲେ।
ନିଜ ଇଚ୍ଛାରେ ସୁବ୍ରମଣ୍ୟମଙ୍କୁ ଏନ୍‌ଏସ୍‌ଇର ମୁଖ୍ୟ ଷ୍ଟ୍ରାଟେଜିକ୍‌ ଅଫିସର ପଦରେ ୧.୩୮ କୋଟି ଟଙ୍କା ବେତନରେ ନିଯୁକ୍ତି ଦେବା ଓ ପରେ ତାଙ୍କ ବେତନ ୪ କୋଟି ଟଙ୍କାକୁ ବଢ଼ାଇବାକୁ ନେଇ ଚିତ୍ରା ପୂର୍ବରୁ ବିବାଦରେ ଥିଲେ। ଏହା ବ୍ୟତୀତ ସେ ଏନ୍‌ଏସ୍‌ଇର ଭିତିରି ତଥ୍ୟ ତାଙ୍କ ଆଧ୍ୟାତ୍ମିକ ଗୁରୁଙ୍କୁ ପ୍ରଦାନ କରିଥିବା ଜଣାପଡ଼ିବା ପରେ ତାଙ୍କ ଅଡ଼ୁଆ ବଢ଼ିଯାଇଛି। ହିମାଳୟରେ ରହୁଥିବା ଉକ୍ତ ଗୁରୁଙ୍କ ନିର୍ଦ୍ଦେଶରେ ଚିତ୍ରା କାର୍ଯ୍ୟ କରୁଥିଲେ ଓ ତାଙ୍କ ସହ ସିଚେଲ୍ସ ଭ୍ରମଣରେ ଯାଇଥିଲେ। ଭାରତର ପ୍ରତିଭୂତି ବିନିମୟ ବୋର୍ଡ (ସେବି) ସମସ୍ତ ଅଭିଯୋଗର ତଦନ୍ତ କରିବା ପରେ ଆଧ୍ୟାତ୍ମିକ ଗୁରୁ ଏବଂ ଆନନ୍ଦ ସୁବ୍ରମଣ୍ୟନ୍‌ ଜଣେ ବ୍ୟକ୍ତି ବୋଲି ସୂଚନା ଦେଇଛି।
ପୂର୍ବରୁ ଏକ ଦୁର୍ନୀତି ମାମଲାରେ ଚିତ୍ରା ଏବଂ ଦିଲ୍ଲୀର ଓପିଜି ସିକ୍ୟୁରିଟିଜ୍‌ ପ୍ରା.ଲିଃର ମାଲିକ ସଞ୍ଜୟ ଗୁପ୍ତାଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଥିଲା। ଏନ୍‌ଏସ୍‌ଇରେ କେତେଜଣ ବ୍ରୋକରଙ୍କୁ ଆଗୁଆ ସୂଚନା ଦିଆଯାଇ ଉପକୃତ କରାଯାଉଥିବାର ଅଭିଯୋଗ ହୋଇଥିଲା।

Share