ଚିତ୍ରକୋଣ୍ଡା: ବନ୍ଦ ରହିଛି ବିଇଓ କାର୍ଯ୍ୟାଳୟ

ଚିତ୍ରକୋଣ୍ଡା,୨୬ା୧୨(ଡି.ଏନ.ଏ.): ଚଳିତବର୍ଷ କୋଭିଡ଼-୧୯ କଟକଣା ପାଇଁ ପିଲାଙ୍କ ପାଠପଢା ବନ୍ଦ ରହିଛି। ଦୀର୍ଘଦିନ ହେଲା ବିଦ୍ୟାଳୟ ବନ୍ଦ ଥିବାରୁ ପିଲାମନେ ଘରେ ବସିଛନ୍ତି। ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ନୂତନ ଭବେ ନିର୍ମିତ ବ୍ଲକ କାର୍ଯ୍ୟାଳୟ ତିନି ବର୍ଷ ହେଲା କାର୍ଯ୍ୟକ୍ଷମ ହୋଇ କାର୍ଯ୍ୟ କରୁଛି। ତେବେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ୨ ବର୍ଷ ହେଲା ନିର୍ମାଣ ସରିଥିଲେ ମଧ୍ୟ ଏଯାଏ ସେଠାରେ ତାଲା ଝୁଲୁଛି। କାର୍ଯ୍ୟାଳୟ ଖୋଲିବାକୁ ପ୍ରଶାସନିକ ଅଧିକାରୀମାନେ ତତ୍ପରତା ପ୍ରକାଶ କରୁନହାନ୍ତି। ଏନେଇ ଅବହେଳା କରାଯାଉଥିବା ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପର ହୋଇ ପଡିଥିଲା। କିଛି ଦିନ ଉକ୍ତ କାର୍ଯ୍ୟାଳୟ ଖୋଲିଥିଲା, ମାତ୍ର ଏବେ ଏକ ବର୍ଷ ହେଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତାଲା ପଡିରହିଛି। ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତ ମଧ୍ୟରୁ ୧୪ଟି ପଞ୍ଚାୟତ ବିଇଓଙ୍କ କାର୍ଯ୍ୟାଳୟ ଉପରେ ନିର୍ଭର କରନ୍ତି। ତେବେ ୨ ବର୍ଷ ହେଲା ବିଇଓଙ୍କ କାର୍ଯ୍ୟାଳୟ ଖୋଲିପାରୁନ ଥିବାରୁ ଅଞ୍ଚଳର ଶିକ୍ଷା ବ୍ୟବସ୍ଥାର କିପରି ଉନ୍ନତି ହେଉଥିବ ତାହା ସହଜରେ ଅନୁମେୟ। ଉକ୍ତ ଅଞ୍ଚଳର ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ସ୍ବାଭିମାନ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡଥିବା ଅଭିଯୋଗ ହେଉଛି। ତୁରନ୍ତ ଚିତ୍ରକୋଣ୍ଡାରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିୟମିତ ଖୋଲିବାକୁ ସାଧରଣରେ ଦାବି ହେଉଛି।