ଚିତ୍ରକୋଣ୍ଡା,୨୦।୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଉଦ୍ୟାନ କୃଷି ପକ୍ଷରୁ ପରିଚାଳିତ ବଡ ଫାର୍ମଠାରେ ଏକ ଜୈବ ବିବିଧତା କେନ୍ଦ୍ର ପ୍ରତିଷ୍ଠା ହେବ। ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଅଧକ୍ଷ ଡାକ୍ତର ସୁବ୍ରତ ବାକ୍ଚି, କୃଷି ଓ କୃଷକ ଉନ୍ନୟନ ବିଭାଗ ପ୍ରିନ୍ସପାଲ ସେକ୍ରେଟାରୀ ସୌରଭ ଗର୍ଗ, ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ନିର୍ଦ୍ଦେଶକ ଜି. ରଘୁଜି, ମାଲକାନଗିରି ଜିଲାପାଳ ୱାଇ ବିଜୟ ପ୍ରମୁଖ ଫାର୍ମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅବସରରେ ଏକ ବୈଠକ ହୋଇଥିଲା। ଏଥିରେ ଜିଲାର ଚାଷୀ, ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକା ମହିଳା ଉପସ୍ଥିତି ରହି ଅଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ବାକ୍ଚି ରାଜ୍ୟ ସରକାର ଓଡ଼ିଶାରେ ପ୍ରଥମ କରି ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ଏକ ଜୈବ ବିବିଧତା ପ୍ରତିଷ୍ଠା କେନ୍ଦ୍ର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ମାଲକାନଗିରି ଜିଲା ସମେତ ଓଡ଼ିଶାର ସମସ୍ତ ଚାଷୀ ଉପକୃତ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ। ଏପରି କି ଅଧିକାରୀମାନେ ଜୈବିକ ପଦ୍ଧତିରେ ଡେମୋଷ୍ଟ୍ରେସନ କରାଯାଇଥିବା ମାଣ୍ଡିଆ ପ୍ଲାଣ୍ଟେସନ ବୁଲି ଦେଖିଥିଲେ।