ଆକ୍ସନ ମୋଡ଼ରେ ଚିତ୍ରକୋଣ୍ଡା ତହସିଲଦାର, ଆଇନ ବିରୋଧି କାର୍ଯ୍ୟ କରି ଲକ୍ଷାଧିକ ଟଙ୍କାର ତଣ୍ଡ ଗଣିଲେ ଜମି ମାଫିଆ

କୋରୁକୋଣ୍ଡା ୨୭।୦୬(ଅବିନାଶ ବେହେରା)ଜଙ୍ଗଲ କଡ଼ରେ ଥିବା ସରକାରୀ ଜମିରେ ଜେସିବି ମେସିନ ଲଗାଇ ରାତାରାତି ବେଆଇନ ଭାବେ ପୋଖରୀ ଖନନ କଲେ ଅସାଧୁ ବ୍ୟକ୍ତି। ଖବର ଶୁଣି ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଲେ ତହସିଲଦାର। ଆଜି ଏପରି ଏକ ଘଟଣା ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ କାମବେଡା ରାଜସ୍ବ ବିଭାଗ ଅନ୍ତର୍ଗତ ଏମଭି-୩୫ଗ୍ରାମରେ ଦେଖିବାକୁ ମିଳିଛି। ତେବେ ମିଳିଥିବା ସୂଚନାନୁଯାୟୀ ଏମଭି-୩୫ ଗ୍ରାମର ସତ୍ୟ ବିଶ୍ୱାସଙ୍କ ପୁଅ ମାଣିକ ବିଶ୍ୱାସ ପୂର୍ବରୁ ଜଙ୍ଗଲ ଜମି କଡେ ଏକ ଘର ତିଆରି କରିଥିଲେ ପରେ ସେଠାରେ ପୋଖରୀ ଖନନ କରିବା ନିମନ୍ତେ ପ୍ରୟାସ କରିଥିଲେ। ତେବେ ଏହି ଖବର ଶୁଣିବା ମାତ୍ରେ ରାଜସ୍ବ ନିରୀକ୍ଷକ ଆସି ଏପରି ଆଇନ ବିରୋଧୀ କାର୍ଯ୍ୟ ନ କରିବା ପାଇଁ ପରାମର୍ଶ ଦେଇଥିଲେ। ତଥାପି ଉକ୍ତ ଅସାଧୁ ବ୍ୟକ୍ତି ଜଣକ ରାଜସ୍ବ ନିରୀକ୍ଷକଙ୍କ କଥା ନ ଶୁଣି ନିଜ ମନ ମୁତାବକ ଏକ ବୃହତ ଅଞ୍ଚଳରେ ଜେସିବି ମେସିନ ଲଗାଇ ରାତାରାତି ପୋଖରୀ ଖନନ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ସକାଳୁ ପୁଣି ଖବର ପାଇ ପ୍ରଥମେ କାମବେଡା ରାଜସ୍ବ ନିରୀକ୍ଷକ ବିଭୁଦତ୍ତ ଗୌଡ଼ ପହଞ୍ଚିଥିଲେ। ପରେ ଉକ୍ତ ଅଞ୍ଚଳ ବନ ବିଭାଗର ବନରକ୍ଷୀ ସୁବ୍ରତ ପରିଡା ମଧ୍ୟ ପହଞ୍ଚିଥିଲେ। ତେବେ ବନ ବିଭାଗର ଅନୁମତି ନ ନେଇ ବୃହତକାୟ ବୃକ୍ଷ ଗୁଡିକ ମାଟିରେ ମିଶାଇ ଦେଇଥିବା ହେତୁ ସେ ମାଣିକଙ୍କ ପିତା ସତ୍ୟ ବିଶ୍ୱାସଙ୍କ ଉପରେ ବହୁତ ବିରକ୍ତି ପ୍ରକାଶ କରିଥିଲେ। ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନାଭ ଦୋରା ଏବଂ ଓରକେଲ ଥାନାର ଏକ ଟିମ ପହଞ୍ଚି ଆକ୍ସନ ମୋଡ଼ରେ ଜେସିବିକୁ ଜବତ କରାଇବା ସହ ମାଣିକ ବିଶ୍ୱାସ ନାମରେ ଏକ ଲକ୍ଷ ଟଙ୍କାର ଚାଲାଣ କାଟିଥିଲେ। ଓରକେଲ ଥାନାଧିକାରୀ ରଘୁନାଥ ମାଝୀଙ୍କ ନେତୃତ୍ୱରେ ଉକ୍ତ ଜେସିବି ମେସିନଟିକୁ ଜବତ କରି ଥାନାକୁ ନିଆଯାଇଥିଲା। ପୂର୍ବରୁ ଏହି ଅଞ୍ଚଳ ଗୁଡିକରେ ସରକାରୀ ଜାଗା ଏବଂ ଜଙ୍ଗଲ ଜମି ଗୁଡିକୁ ହଡପ କରି ଯେଉଁକିଛି ଅସାଧୁ ବ୍ୟକ୍ତିମାନେ ଏପରି ଆଇନ ବିରୋଧୀ କାର୍ଯ୍ୟ କରିଛନ୍ତି ଆଜି ଏପରି ଘଟଣା ଘଟିବା ଦ୍ୱାରା ସେମାନଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ଆଗାମୀ ଦିନରେ ମଧ୍ୟ ଏପରି ଅସାଧୁ ଜାଗା ମାଫିଆଙ୍କ ଉପରେ ଏହିପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନାଭ ଦୋରା ସୂଚନା ଦେଇଛନ୍ତି।