ଚକୋଲେଟ୍‌ ଗଣେଶ

ଭୋପାଳ: କରୋନା ପାଇଁ ଏବେ ସବୁଆଡ଼େ ଗଣେଶ ପୂଜା ନେଇ କଟକଣା ଲାଗିଛି। କିନ୍ତୁ ଶ୍ରଦ୍ଧାଳୁମାନେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏଥର ଗଣେଶ ପୂଜାରେ ଏକ ଭିନ୍ନ ପ୍ରୟାସ କରି ଚକୋଲେଟ ଓ କ୍ଷୀରରେ ଗଣେଶଙ୍କ ମୂର୍ତ୍ତି ତିଆରି କରିଛନ୍ତି ମଧ୍ୟପ୍ରଦେଶ ଇନ୍ଦୋରର ନିଧି ଶର୍ମା।
ଗଣେଶ ପୂଜାକୁ ଧୁମ୍‌ଧାମରେ ପାଳନ କରିବା ନେଇ ବିଭିନ୍ନ ସ୍ଥାନରେ କଟକଣା ଥିବାରୁ ନିଧି ଏବେ ଅନ୍ୟମାନଙ୍କ ଭଳି ଇକୋ ଫ୍ରେଣ୍ଡ୍‌ଲି ମୂର୍ତ୍ତି ତିଆରି କରୁଛନ୍ତି। ଏଥିପାଇଁ ସେ ଚକୋଲେଟରେ ତିଆରି କରୁଛନ୍ତି ବିଭିନ୍ନ ଡିଜାଇନ୍‌ର ଗଣେଶ ମୂର୍ତ୍ତି। ଆଉ ଏହି ଚକୋଲେଟ୍‌ ଗଣେଶ ମୂର୍ତ୍ତି ସବୁକୁ ସେ ତାଙ୍କର ସମ୍ପର୍କୀୟ ଓ ବନ୍ଧୁମାନଙ୍କ ସହିତ ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ବାଣ୍ଟି ଦେଉଛନ୍ତି। ଲୋକଙ୍କୁ ସାହାଯ୍ୟ କରିବା ତଥା ଡାକ୍ତର ଏବଂ ପୋଲିସଙ୍କ ଭଳି କୋଭିଡ୍‌ ଯୋଦ୍ଧାମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସେ ଏଭଳି ଚକୋଲେଟ୍‌ ଗଣେଶ ତିଆରି କରି ବାଣ୍ଟୁଛନ୍ତି। ଲୋକେ ତାଙ୍କର ଏଭଳି ମୂର୍ତ୍ତି ପାଇବା ପରେ ଖୁସି ହୋଇ ଯାଉଛନ୍ତି। କୋଭିଡ୍‌ ଯୋଦ୍ଧାମାନେ ମଧ୍ୟ ତାଙ୍କଠାରୁ ଏଭଳି ମୂର୍ତ୍ତି ପାଇବା ପରେ ବେଶ୍‌ ଉତ୍ସାହିତ ହେଉଛନ୍ତି। ନିଧିଙ୍କ କହିବା କଥା ହେଉଛି, ଗଣେଶଙ୍କ ଆଶୀର୍ବାଦରୁ କରୋନା ଭାଇରସ୍‌ର ପ୍ରକୋପ କମ୍‌ ହୋଇଯିବ। କରୋନା ଭାଇରସ୍‌ ନେଇ ସଚେତନ କରିବା ପାଇଁ ସେ ଗଣେଶଙ୍କ ସହିତ ଚକୋଲେଟରେ ବଲ୍‌ ମଧ୍ୟ ତିଆରି କରିଛନ୍ତି, ଯାହାକୁ ଗଣେଶ ଗୋଡ଼ରେ ଚାପି ଦେଉଛନ୍ତି। ଏହା ସହିତ ସେ ମୂର୍ତ୍ତିରେ ‘କରୋନା ଗୋ’ ମଧ୍ୟ ଲେଖିଛନ୍ତି। ନିଧି ତାଙ୍କର ଏଭଳି ଇକୋ ଫ୍ରେଣ୍ଡ୍‌ଲି ଗଣେଶ ମୂର୍ତ୍ତି ତିଆରି କରି ବାଣ୍ଟିବା ନେଇ ଥିମ୍‌ ରଖିଛନ୍ତି ‘କରୋନା ଭାଇରସ୍‌’। ଗତ ବର୍ଷଠାରୁ ସେ ଏଭଳି ଇକୋ ଫ୍ରେଣ୍ଡ୍‌ଲି ମୂର୍ତ୍ତି ତିଆରି କରୁଥିଲେ ଏବଂ ଏବର୍ଷ କରୋନା ଥିମ୍‌ରେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି।

Share