ଅଧ୍ୟାପିକାଙ୍କୁ ଚକୋଲେଟ୍‌ ଦେଇଛି ଭିନ୍ନ ଏକ ପରିଚୟ

ନବରଙ୍ଗପୁର,୧୦।୭ (ବି.ପ୍ର.): ପିଲାରୁ ବୟସ୍କ ଯାଏଁ ସମସ୍ତଙ୍କର ଚକୋଲେଟ୍‌ ପାଇଁ ଥାଏ ଦୁର୍ବଳତା। ବଜାରରେ ମଧ୍ୟ ଚକୋଲେଟ୍‌ର ଚାହିଦା ବେଶ୍‌ ରହିଛି। ସେଥିପାଇଁ ଏହାକୁ ରୋଜଗାର ମାଧ୍ୟମ କରିବାକୁ ମନ ବଳାଇଲେ ପାପଡ଼ାହାଣ୍ଡିର ସଙ୍ଗୀତା ସାହୁ। ସଙ୍ଗୀତା ପାପଡ଼ାହାଣ୍ଡିସ୍ଥିତ ଏକ ଘରୋଇ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ର ଅଧ୍ୟାପିକା। କଲେଜ କାମ ପରେ ସେ ଚକୋଲେଟ୍‌ ତିଆରିକୁ ଦିଅନ୍ତି ସମୟ। ଏବେ ଚକୋଲେଟ୍‌ ମେକରଭାବେ ପାପଡ଼ାହାଣ୍ଡିରେ ସେ ଜଣାଶୁଣା।
ନୂତନ ଜ୍ଞାନକୌଶଳ ଓ ବିଜ୍ଞାନ କାରିଗରି ମାଧ୍ୟମରେ ଲୋକଙ୍କ ଆର୍ଥତ୍କ ଓ ସାମାଜିକ ବିକାଶ ପାଇଁ ୨୦୧୮ରୁ ନବରଙ୍ଗପୁରରେ ୧୨ଟି କୃଷି ବୈଜ୍ଞାନିକ ସଂସ୍ଥା କାମ କରୁଛି। ଏହି ସଂସ୍ଥା ସବୁ ମହିଳାଙ୍କ ଆର୍ଥିକ ବିକାଶ ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ତାଲିମ ଦେଉଛି। ଘରୋଇ ଉଦ୍ୟୋଗ ମାଧ୍ୟମରେ ଆର୍ଥିକ ବିକାଶ ଲକ୍ଷ୍ୟ ନେଇ ହାଇଦ୍ରାବାଦର ସେଣ୍ଟ୍ରାଲ ଫୁଡ୍‌ ଟେକ୍ନୋଲୋଜିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ(ସିଏଫ୍‌ଟିଆର୍‌ଆଇ)ରେ ନବରଙ୍ଗପୁର ଜିଲାର ୨୪ ମହିଳାଙ୍କୁ ତାଲିମ ଦିଆଯାଇଥିଲା। ସେଠାରେ ଫ୍ରୁଟ୍‌ ଜୁସ୍‌, ଆଚାର, କେକ୍‌ ଓ ଚକୋଲେଟ୍‌ ତିଆରି ତାଲିମ ଦିଆଯାଇଥିଲା। ସଙ୍ଗୀତା ୨୦୧୯ରେ ସିଏଫ୍‌ଟିଆର୍‌ଆଇକୁ ତାଲିମ ପାଇଁ ଯାଇଥିଲେ। ସେଠାରୁ ପ୍ରଶିକ୍ଷଣ ନେଇ ଆସିବା ପରେ ସେ ଘରେ ବିଭିନ୍ନ ଫ୍ଲେବର ଚକୋଲେଟ୍‌ ତିଆରି କରିଥିଲେ। ହାତ ତିଆରି ଚକୋଲେଟ୍‌ର ନାମ ‘ଗୋଲୁସ ଚକ୍କି’ ରଖିଛନ୍ତି ସଙ୍ଗୀତା। ଚକୋଲେଟ ତିଆରିରେ ଶାଶୁ ଓ ସ୍ବାମୀ ସହଯୋଗ କରୁଛନ୍ତି। ଏହି ଗୋଲୁସ ଚକ୍କିର ଚାହିଦା ପାପଡ଼ାହାଣ୍ଡି ବଜାରରେ ବେଶ୍‌ ରହିଛି। ପ୍ରତ୍ୟେକ ଚକୋଲେଟ୍‌ର ଦାମ ରହିଛି ମାତ୍ର ୫ଟଙ୍କା। ଜନ୍ମଦିନ ଓ ଅନ୍ୟାନ୍ୟ ଉତ୍ସବ ଅବସରରେ ଲୋକେ ଅର୍ଡର ଦେଇ ଚକୋଲେଟ୍‌ ନେଉଛନ୍ତି ବୋଲି ସଙ୍ଗୀତା କହିଛନ୍ତି। ଚକୋଲେଟ୍‌ରୁ ମାସିକ ୧୦ହଜାର ଟଙ୍କା ରୋଜଗାର କରୁଥିବା ସେ କହିଛନ୍ତି। ୫୦ ଓ ୧୦୦ଟି ଚକୋଲେଟ୍‌କୁ ନେଇ ଦୁଇ ପ୍ରକାର ଆକର୍ଷଣୀୟ ପ୍ୟାକିଂ କରାଯାଉଛି। ଏଥିରେ କୌଣସି କେମିକାଲ ବ୍ୟବହାର କରାଯାଉନାହିଁ। ୨କିଲୋ ଚକୋଲେଟ୍‌ ହାତରେ ତିଆରି କଲେ ୩ ଘଣ୍ଟା ଲାଗୁଛି। ମେଶିନ ସାହାଯ୍ୟରେ ହେଲେ ଉକ୍ତ ୨ କିଲୋକୁ ୭ ମିନିଟ ଲାଗିବ ବୋଲି ସଙ୍ଗୀତା କହିଛନ୍ତି। ଚକୋଲେଟକୁ ନେଇ ଘରୋଇ କୁଟୀରଶିଳ୍ପ ମାଧ୍ୟମରେ ମହିଳାମାନଙ୍କୁ ରୋଜଗାର ପ୍ରଦାନ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ସଙ୍ଗୀତା। ଘରୋଇ ଉଦ୍ୟୋଗ ସ୍ଥାପନ ପାଇଁ ପ୍ରଶାସନ ଆର୍ଥିକ ସହାୟତା ପ୍ରଦାନ କଲେ ଅଧିକ ଉନ୍ନତି ହୋଇପାରିବ ବୋଲି ସେ କହିଛନ୍ତି।

Share