ଚଣ୍ଡିଖୋଲ,୨ା୩(ଡି.ଏନ୍.ଏ.): ଖ୍ରୀ.ପୂ. ୨ୟ ଶତାବ୍ଦୀର ପାରାଭାଡ଼ି ବୌଦ୍ଧସ୍ତୁପ ଅଞ୍ଚଳରେ ଓଡ଼ିଶା ମାଇନିଂ କର୍ପୋରେଶନ୍(ଓଏମ୍ସି) ଖଣ୍ଡୋଲାଇଟ୍ ଖଣି ଖନନ କରିବା ଦ୍ୱାରା ଐତିହାସିକ ପାରାଭାଡ଼ି ପାହାଡ଼ ନଷ୍ଟ ହୋଇଗଲା। ଏ ସମ୍ପର୍କରେ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ରେ ଖବର ପ୍ରକାଶ ପରେ ଭାରତୀୟ ପ୍ରନତ୍ତାତ୍ତ୍ୱିକ ବିଭାଗ (ଏଏସ୍ଆଇ) ତରଫରୁ ଖଣ୍ଡୋଲାଇଟ୍ ଖଣି ବନ୍ଦ କରିବାକୁ ଓଏମ୍ସିକୁ ଚିଠି ଲେଖିଥିଲା। ପରେ ଖଣି ଖନନ ବନ୍ଦ ହୋଇଯାଇଛି। ଏପରି କି ଗୋବିନ୍ଦପୁର ପାହାଡ଼ରୁ ଖଣ୍ଡୋଲାଇଟ୍ ପଥର ଖନନ କରାଯାଇ କେଶରାଇପୁରଠାରେ କଟାଯାଉଥିବାବେଳେ ତାହା ମଧ୍ୟ ବନ୍ଦ କରାଯାଇଛି। ହେଲେ ଖଣି ଖନନରେ ଲାଗିଥିବା ଯନ୍ତ୍ରାଂଶ ଏଠାରୁ ନିଆଯାଇନାହିଁ।
ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ପାରାଭାଡ଼ି ପାହାଡ଼ଟି କେଶରାଇପୁର ରାଜସ୍ବ ମୌଜାରେ ଅବସ୍ଥିତ। ଏହି ପାହାଡ଼ ବନ୍ଦରେଶ୍ୱରଠାରୁ ଆରମ୍ଭ କରି ଲଳିତଗିରି ପର୍ଯ୍ୟନ୍ତ ପରିବ୍ୟାପ୍ତ। ଯାଜପୁର ଓ କଟକ ଜିଲାର ସଂଗମସ୍ଥଳରେ ରହିଥିବା ଏହି ପାହାଡ଼ରୁ ପୂର୍ବରୁ ୩୬ଟି ବୌଦ୍ଧ କୀର୍ତ୍ତିରାଜି ଆବିଷ୍କୃତ ହୋଇ ଲଳିତଗିରି ମ୍ୟୁଜିୟମ୍ ଓ ଭୁବନେଶ୍ୱର ଷ୍ଟେଟ୍ ମ୍ୟୁଜିୟମ୍ରେ ରହିଛି। ରାଜ୍ୟ ସରକାରଙ୍କ ତରଫରୁ ଏହି ପାହାଡ଼ରୁ ଖଣ୍ଡୋଲାଇଟ୍ ଖଣି ଖନନ କରି ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ପଥର ନେବାକୁ ୨୦୨୧ରେ ଯୋଜନା କରାଯାଇଥିଲା। ୨୦୨୨ରେ ପଥର ଖଣି ଖନନ ଆରମ୍ଭ ହୋଇଥିଲା। ସେ ସମୟରେ ବୁଦ୍ଧାୟନ ତରଫରୁ ଏହାକୁ ବିରୋଧ କରାଯାଇଥିଲେ ମଧ୍ୟ ଓଏମ୍ସି ଖନନ ଜାରି ରଖିଥିଲା। ଏନେଇ ଗତ ଡିସେମ୍ବର ୨୫ରେ ‘ବିପଦରେ ବୌଦ୍ଧସ୍ତୁପ ପାରାଭାଡ଼ି’ ଶୀର୍ଷକ ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଉକ୍ତ ଖବର ପ୍ରକାଶ ପରେ ଏଏସ୍ଆଇ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଆସି ତଦାରଖ କରିଥିଲେ। ଏ ସମ୍ପର୍କରେ ଭାରତୀୟ ପ୍ରନତ୍ତାତ୍ତ୍ୱିକ ବିଭାଗର ପୁରୀ ସର୍କଲ ଅଧ୍ୟକ୍ଷ ବ୍ରଜସୁନ୍ଦର ଗଡ଼ନାୟକ କହିଛନ୍ତି, ଆମେ ପ୍ରଥମେ କ୍ଷେତ୍ର ପରିଦର୍ଶନ କରିବା ପରେ ଜାନୁୟାରୀରେ ଓଏମ୍ସିକୁ ଖଣି ଖନନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲୁ। ଏହାପରେ ଏବେ ପାରାଭାଡ଼ି ବୌଦ୍ଧସ୍ତୁପ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ଯେଉଁଠୁ ୪ରୁ ୫ମିଟର ଉଚ୍ଚତାର ବୌଦ୍ଧସ୍ତୁପ ମିଳିଥିବାବେଳେ ବହୁ ପ୍ରାଚୀନ କୀର୍ତ୍ତିରାଜି ମଧ୍ୟ ଆବିଷ୍କୃତ ହୋଇଛି, ଯାହାକି ୧୩ଶହ ବର୍ଷ ତଳର। ସମୁଦ୍ର ପତନଠାରୁ ଏହି ସ୍ତୁପର ଉଚ୍ଚତା ସର୍ବାଧିକ ରହିଛି। ଖଣି ଖନନ ସମୟରେ ବହୁ କୀର୍ତ୍ତିରାଜିକୁ ନଷ୍ଟ କରି ଦିଆଯାଇଛି। ଏଠାରୁ ଆବିଷ୍କୃତ କୀର୍ତ୍ତିରାଜିଗୁଡ଼ିକ ସପ୍ତମ ଓ ଅଷ୍ଟମ ଶତାବ୍ଦୀର। ଏଏସ୍ଆଇ ତରଫରୁ ଏହାକୁ ବୁଦ୍ଧିଷ୍ଟ ସର୍କିଟ କରାଯିବା ପାଇଁ ଯୋଜନା ରହିଥିବା ସେ ପ୍ରକାଶ କରିଛନ୍ତି। ୨୦୧୨ରୁ ଲଗାତର ଭାବେ ‘ଧରିତ୍ରୀ’ରେ ପାରାଭାଡ଼ି ବୌଦ୍ଧସ୍ତୁପ ସମ୍ପର୍କରେ ଖବର ପ୍ରକାଶ ହୋଇଆସୁଛି। ଏଠାରେ ୭ଟି ଗୁମ୍ଫା ରହିଛି, ଯାହାକି ହାତିଖାଲ ନାମରେ ପରିଚିତ। ପାରାଭାଡ଼ି ସ୍ତୁପର ୫୦ମିଟର ତଳେ ବୌଦ୍ଧଯୁଗୀୟ ତାରାମୂର୍ତ୍ତି ରହିଛି। ସ୍ଥାନୀୟ ଲୋକେ ଘଣ୍ଟିଆଶୁଣି ଭାବରେ ଏହାକୁ ପୂଜାର୍ଚ୍ଚନା କରୁଛନ୍ତି। ଏହି ସ୍ତୁପର ଚତୁଃପାର୍ଶ୍ୱ ୪୬ ଏକର ସ୍ଥାନକୁ ଏଏସ୍ଆଇ ଚିହ୍ନଟ କରିସାରିଛି।