ରାଉରକେଲାରେ ହଇଜା ସ୍ଥିତି ଅଣାୟତ୍ତ: ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି

ରାଉରକେଲା,୨୧।୧୨(ସଙ୍ଗୀତା ଜେନା): ସ୍ମାର୍ଟସିଟି ରାଉରକେଲାରେ ହଇଜା ସ୍ଥିତିି ଅଣାୟତ୍ତ ହୋଇପଡ଼ିଛି। ରାଉରକେଲା ସରକାରୀ ଡାକ୍ତରଖାନାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଗୁରୁବାର ସୁଦ୍ଧା ବିଭିନ୍ନ ଡାକ୍ତରଖାନାରେ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି। ଆର୍‌ଜିଏଚ୍‌ରେ ୬ ଓ ଅନ୍ୟ ଘରୋଇ ହସ୍ପିଟାଲରେ ୫ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଗୁରୁବାର ଇସ୍ପାତ ଜେନେରାଲ ହସ୍ପିଟାଲରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସାବିତ୍ରୀ ଗିରି(୬୦) ଏବଂ ସେ ମଧୁସୂଦନପାଲ୍ଲୀ ଅଞ୍ଚଳର। ସେହିପରି ବିଭିନ୍ନ ଡାକ୍ତରଖାନାରେ ୧୪ ଶହରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି।

ମଧ୍ୟାହ୍ନରେ ଉତ୍ତରାଞ୍ଚଳ ଆର୍‌ଡିସି ସୁରେଶ ଚନ୍ଦ୍ର ଦଲେଇ, ଯୁଗ୍ମ ନିର୍ଦ୍ଦେଶକ ଅଶୋକ ପାଇକରାୟ ମିଳିତ ଭାବେ ରାଉରକେଲା ସରକାରୀ ଡାକ୍ତରଖାନାରେ ହଇଜା ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ। ସେମାନେ ରୋଗୀ, ପରିଜନଙ୍କ ସମେତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ଗୁରୁବାର ୨୬ଜଣ ନୂଆ ଆକ୍ରାନ୍ତ ଚିକିତ୍ସା ପାଇଁ ଆର୍‌ଜିଏଚ୍‌ରେ ଭର୍ତ୍ତି ହୋଇଛନ୍ତି। ସୁନ୍ଦରଗଡ଼, ଭୁବନେଶ୍ୱରର ବିଶେଷଜ୍ଞ ଡାକ୍ତରମାନେ ରୋଗୀ ଚିକିିତ୍ସା କରୁଛନ୍ତି। ସମସ୍ତ ପ୍ରତିଷେଧକମୂଳକ ପ୍ରତିକାର ସତ୍ତ୍ୱେ ଘରୋଇ ହସ୍ପିଟାଲରେ ରୋଗୀ ସଂଖ୍ୟା ବୃଦ୍ଧି ଯୋଗୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।

Share