ସାରଡାଙ୍ଗରେ ହଇଜା ଆତଙ୍କ: ଜଣେ ମୃତ, ୧୧ ଆକ୍ରାନ୍ତ

ଖଇରା,୬ା୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ସାରଡାଙ୍ଗ ନାକପଦା ଗ୍ରାମରେ ପୂଜା ଭୋଜି ଖାଇ ୧୨ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏଥିମଧ୍ୟରୁ ମାମୁଘର ନାକପଦାକୁ ବୁଲିବାକୁ ଆସିଥିବା ଗନ୍ଧାଳି ଗ୍ରାମର ଲକ୍ଷ୍ମୀ ମଥାନଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନଙ୍କୁ ଚିକିତ୍ସାପାଇଁ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛ। ସୋମବାର ଗ୍ରାମର ମଦନ ମୋହନ ବେହେରା ଓ ଶଙ୍କର୍ଷଣ ବେହେରାଙ୍କ ଘରେ ଭୋଜି ହୋଇଥିଲା। ଖାଇବା ପରଠାରୁ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ବୁଧବାର ୬ଜଣଙ୍କୁ ଚିକିତ୍ସା ପାଇଁ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ କଟକ ନିଆଯାଇଥିବା ବେଳେ ସେଠାରେ ସେ ଆଖିବୁଜିଥିଲେ। ଗୁରୁବାର ଅନ୍ୟ ୫ଜଣଙ୍କୁ ଚିକିତ୍ସା ପାଇଁ ଖଇରା ମେଡିକାଲ ନିଆଯାଇଛି। ଗ୍ରାମରେ ଅସ୍ବାସ୍ଥ୍ୟକର ପରିବେଶ ଓ ଦୂଷିତ ଜଳ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି।