Categories: ଜାତୀୟ

ବିବାଦ ସମାଧାନର ବିକଳ୍ପ ବାଛ

ନୂଆଦିଲ୍ଲୀ, ୫।୧୨(ଆଇଏଏନ୍‌ଏସ୍‌): ବିବାଦ ସମାଧାନ ଲାଗି କୋର୍ଟ କଚେରି ନ ଧାଇଁ ମଧ୍ୟସ୍ଥତା, ବୁଝାମଣା ଭଳି ବିକଳ୍ପ ବ୍ୟବସ୍ଥା ବାଛିବା ଲାଗି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା ଶନିବାର ବ୍ୟବସାୟିକ ସମୁଦାୟଙ୍କୁ ପରାମର୍ଶ ଦେଇଛନ୍ତି। ହାଇଦ୍ରାବାଦର ଇଣ୍ଟରନ୍ୟାଶନାଲ ଅର୍ବିଟ୍ରେଶନ ଆଣ୍ଡ ମେଡିଏଶନ ସେଣ୍ଟରଠାରେ ଏକ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଜଷ୍ଟିସ୍‌ ରମନା କହିଥିଲେ, ବ୍ୟବସାୟରେ ବିବାଦ ରହିବ। ଏହାକୁ ପ୍ରଥମେ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଆବଶ୍ୟକ। ସେଥିରେ ସମାଧାନ ସମ୍ଭବ ନ ହେଲେ ମଧ୍ୟସ୍ଥଙ୍କ ସହାୟତା ନେବା ଉଚିତ। ସେଥିରେ ସମାଧାନର ସୂତ୍ର ନ ବାହାରିପାରିଲେ ଶେଷ ବିକଳ୍ପ ଭାବେ କୋର୍ଟକୁ ଯିବା ଲାଗି ଚିନ୍ତା କରିବାକୁ ସିଜେଆଇ ପରାମର୍ଶ ଦେଇଛନ୍ତି। ଆମର ଦୈନନ୍ଦିନ ଜୀବନରେ ବିଭିନ୍ନ ବିବାଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତାହା ପରିବାର ସଦସ୍ୟଙ୍କ ମଧ୍ୟରେ ହେଉ, ବ୍ୟବସାୟରେ କିମ୍ବା ପେସାଗତ ଜୀବନରେ ଘଟିଥାଏ। ଦ୍ୱନ୍ଦ୍ୱ ବିହୀନ ବିଶ୍ୱର ପରିକଳ୍ପନା କରାଯାଇ ନ ପାରେ। ବିବାଦର ମଧ୍ୟ ଏକ ମାନବୀୟ ଦିଗ ରହିଛି, ଯାହାକି ଏହାକୁ ସମାଧାନ କରିବାରେ ସହାୟକ ହୋଇଥାଏ। ବିବାଦର ଊର୍ଦ୍ଧ୍ୱକୁ ଯାଇ ଦେଖିବା ପାଇଁ ଦୂରଦୃଷ୍ଟି ଜରୁରୀ। ବିବାଦ ସମାଧାନ ପଛର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଫ୍ୟାକ୍ଟର ହେଲା ମନୋବୃତ୍ତି। ଏଥିପାଇଁ ଅହଂଭାବ, ଆବେଗ, ଅଧୈର୍ଯ୍ୟତା ଏବଂ ଆଗ୍ରହକୁ ଆଂଶିକ ତ୍ୟାଗ କରିବାକୁ ପଡ଼ିଥାଏ। ତେବେ ବିବାଦ ଥରେ ଅଦାଲତରେ ପହଞ୍ଚତ୍ୟିବା ପରେ ସେଗୁଡ଼ିକୁ ହରାଇବାକୁ ହୋଇଥାଏ ବୋଲି ସିଜେଆଇ କହିଛନ୍ତି।

Share