Categories: ଜାତୀୟ

କୁନ୍ନୁର ହେଲିକପ୍ଟର ଦୁର୍ଘଟଣାର ୨୦ ଘଣ୍ଟା ପରେ ବି ମିଳିନି ବ୍ଲାକ ବକ୍ସ

ନୂଆଦିଲ୍ଲୀ,୯ ।୧୨: ବୁଧବାର ତାମିଲନାଡୁର କୁନ୍ନୁରରେ ହୋଇଥିବା ସେନା ହେଲିକ୍‌ପଟର ଦୁର୍ଘଟଣାକୁ ୨୦ ଘଣ୍ଟା ବିତି ଯାଇଥିଲେ ବି ବ୍ଲାକ ବକ୍ସର ସନ୍ଧାନ ମିଳି ନ ଥିବା ଜଣାପଡିଛି । ଗୁରୁବାର ସକାଳୁ ବାୟସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭିଆର୍ ଚୌଧୁରୀ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଯେଉଁଠାରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ବାୟସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭିଆର୍ ଚୌଧୁରୀଙ୍କ ସହ ଡିଜିପି ସି ଶୈଳେନ୍ଦ୍ର ବାବୁ ବି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସୂଚନାଯୋଗ୍ୟ, ବୁଧବାର ସୁଲୁରରୁ ୱିଲଙ୍ଗଟନ ଯାତ୍ରା କରୁଥିବା ବେଳେ ରାୱତଙ୍କ ହେଲିକପ୍ଟର କୁନ୍ନୁରଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ବାୟସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭିଆର୍ ଚୌଧୁରୀ ବୁଧବାର ସୁଲୁର ଏୟାର ବେସ ଗସ୍ତ କରିଥିଲେ ଯେଉଁଠାରୁ ହେଲିକପ୍ଟରଟି ଉଡିବା ଆରମ୍ଭ କରିଥିଲା ।

Share