Categories: ଖେଳ

ଚୋପ୍ରାଙ୍କ ପ୍ରଭାବ: ଟପ୍‌ ୬ରେ ୩ ଭାରତୀୟ

ନୂଆଦିଲ୍ଲୀ, ୨୯ା୮ (ପି.ଟି.):ନୀରଜ ଚୋପ୍ରାଙ୍କ ଦ୍ୱାରା ଅନୁପ୍ରାଣିତ ଦେଶରେ ଜାଭେଲିନ ବିପ୍ଳବ ଠିକଣା ଦିଗରେ ଗତିକଲା ଭଳି ମନେ ହେଉଛି। ଟୁର୍ନାମେଣ୍ଟ ଇତିହାସରେ ବିଶ୍ୱଚାମ୍ପିୟନଶିପ୍‌ ଫାଇନାଲର ଶ୍ରେଷ୍ଠ ୬ଜଣଙ୍କ ମଧ୍ୟରେ ୩ ଭାରତୀୟ ସ୍ଥାନ ପାଇଥିବାରୁ ଏହା ସୂଚୀତ ହେଉଛି। ଜାଭେଲିନ୍‌ର ଅନ୍ୟତମ ପାଓ୍ବାରହାଉସ୍‌ ହେଉଛି ଜର୍ମାନୀ। ୧୯୮୩ରୁ ବିଶ୍ୱ ଚାମ୍ପିୟନଶିପ୍‌୧୯୯୫, ୨୦୦୩, ୨୦୧୫, ୨୦୧୭ରେ ୪ଥର ଏହି ଦେଶର ୩ଜଣ ଟପ୍‌-୮ରେ ରହିପାରିଛନ୍ତି। ହେଲେ କେବେ ଫାଇନାଲରେ ଶ୍ରେଷ୍ଠ ୬ରେ କୌଣସି ଦେଶର ୩ଜଣ ସ୍ଥାନ ପାଇବା ଏହା ପ୍ରଥମ ଦୃଷ୍ଟାନ୍ତ। ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିବା ଚୋପ୍ରା ରବିବାର ବୁଦାପେଷ୍ଟରେ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ କିଶୋର ଜେନା ଓ ଡି.ପି. ମନୁ ଯଥାକ୍ରମେ ୫ମ ଓ ୬ଷ୍ଠ ସ୍ଥାନରେ ରହିଥିଲେ। ଜେନା ଓ ମନୁ ବିଶ୍ୱଚାମ୍ପିୟନଶିପ୍‌ରେ ପ୍ରଥମ ଥର ଭାଗ ନେଇଥିବା ବେଳେ ଚୋପ୍ରା ୨୦୨୨ ସଂସ୍କରଣରେ ରୌପ୍ୟ ପଦକ ଲାଭ କରିଥିଲେ। ପ୍ରକୃତରେ ଭାରତର ୪ଜଣ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଡାଇମଣ୍ଡ ଲିଗ୍‌ ଚାମ୍ପିୟନ ଭାବେ ଚୋପ୍ରା ଓ୍ବାଇଲ୍ଡ କାର୍ଡ ପାଇଥିଲେ। ଅନ୍ୟତମ ଭାରତୀୟ ରୋହିତ ଯାଦବଙ୍କୁ କହୁଣୀରେ ଅସ୍ତ୍ରୋପଚାର ଯୋଗୁ ସେ ଚାମ୍ପିୟନଶିପ୍‌ରୁ ଓହରିଯାଇଥିଲେ। ଅତୀତରେ କେବଳ ଜର୍ମାନୀ, ଯୁକ୍ତରାଷ୍ଟ୍ର ଆମେରିିକା ଓ ଫିନ୍‌ଲାଣ୍ଡ ଭଳି ଦେଶର ୩ଜଣ ଲେଖାଏଁ ଆଥଲେଟ ଫାଇନାଲରେ ପ୍ରବେଶ କରିଥିବା ଦୃଷ୍ଟାନ୍ତ ରହିଛି।

Share