ନିଚୁଆପଦାରେ ଉଦ୍‌ଘାଟନ ହେଲା ଛଉ ନୃତ୍ୟ ତାଲିମ କେନ୍ଦ୍ର

ମୋରଡା,୩।୧୦(ସ୍ମାରକ ମାଜୀ): ଭାରତ ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନରେ ଛଉ ନୃତ୍ୟ ତାଲିମ କେନ୍ଦ୍ର ଉଦଘାଟନ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ଜଳଶକ୍ତି ଓ଼ ଆଦିବାସୀ ଶସକ୍ତିକରଣ ମନ୍ତ୍ରୀ ବିଶେଶର ଟୁଡୁ, ଭାଜପା ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ଦୀପକ ଯୋଶୀ, ଛୋଟେଲାଲ ମହାନ୍ତ,ନିଚୁଆପଦା ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନର ସଭାପତି ଉମେଶଚନ୍ଦ୍ର ମହାନ୍ତ, ସମ୍ପାଦକ ହରିପଦ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ।

ମୟୂରଭଞ୍ଜ ଜିଲା ହେଉଛି କଳା, ସଂସ୍କୃତିର ଜିଲା । ମୟୂରଭଞ୍ଜ ଛଉ ନୃତ୍ୟ ସାରା ବିଶ୍ୱ ପ୍ରସିଦ୍ଧ। ତେଣୁ ଛଉକୁ ଅଧିକ ସୁନ୍ଦର ଶାଣିତ କରିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି ଜିଲାରେ ମୋଟ ପାଞ୍ଚଟି ଛଉ ନୃତ୍ୟ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଉକ୍ତ କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ୱାରା ଗ୍ରାମଞ୍ଚଳର କଳାକାରମାନଙ୍କୁ ଅନ୍ତର୍ଜାତୀୟ ଛଉ ଗୁରୁ ମାନେ ନିଖୁଣ ଉନ୍ନତ ଛଉ ତାଲିମ ଦେବା ସହିତ ଆଗାମୀ ଦିନରେ ଗ୍ରାମାଞ୍ଚଳର ଛଉ ନୃତ୍ୟର ବିକାଶ ଶୀର୍ଷରେ ପହଞ୍ଚି ପାରିବ ବୋଲି ମଞ୍ଚାସୀନ ଅତିଥିମାନେ କହିଛନ୍ତି ।
ସେହିପରି ସରକାର ନିଚୁଆପଦା ଗ୍ରାମକୁ କଳା ଗ୍ରାମ ଭାବେ ଘୋଷଣା କରିଛନ୍ତି । ନିଚୁଆପଦାର ଛଉ କଳାକାରମାନେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରତିଭା ପ୍ରଦର୍ଶନ କରି ଅଞ୍ଚଳର ସୁନାମ ଅର୍ଜନ କରିଛନ୍ତି ବୋଲି ଅତିଥି ସେମାନଙ୍କୁ ପ୍ରଂଶସା କରିଥିଲେ।

Share