ପାରାଦୀପ,୧୮ା୧୨(ଶରତ ରାଉତ): ଜଗତ୍ସିଂହପୁର ଜିଲାର ଜୀବନରେଖା କୁହାଯାଉଥିବା ତାଳଦଣ୍ଡା କେନାଲ ଲକ୍ ଏବେ ନିଶ୍ଚିହ୍ନ ଅବସ୍ଥାରେ ପଡ଼ିଛି। ନୂଆଗଡ଼ ପଞ୍ଚାୟତ ଚଉମୁହାଣୀଠାରେ ଉକ୍ତ ଲକ୍ର କେବଳ ୨ଟି ହ୍ୟାଣ୍ଡେଲ ଚକ, ଭଙ୍ଗା କାଠ କବାଟ ଓ ହାୱଡ଼ା ପୋଲ ଭଳି ଏକ କ୍ଷୁଦ୍ର ପୋଲ ରହିଛି। ଇଂରେଜ ଶାସନ ସମୟରେ ତିଆରି ହୋଇଥିବା ଉକ୍ତ ଲକ୍ ଏବେ ପାଣି ରୋକିବାରେ ସହାୟ ହେଉଛି। କିନ୍ତୁ ତା’ର ପୁନରୁଦ୍ଧାର ହେଉନାହିଁ।
୧୮୬୬ରେ ଇଂରେଜମାନେ ବେପାର ବଣିଜ କରିବା ପାଇଁ ମହାନଦୀର ଚଉମୁହାଣୀକୁ ଚୟନ କରିଥିଲେ। ୪ଟି ନଦୀର ମିଳନ ସ୍ଥଳ ହୋଇଥିବାରୁ ତାଙ୍କୁ ଚଉମୁହାଣୀ କୁହାଯାଉଛି। ସେହି ନଦୀଗୁଡିକ ହେଲା, ହଳଦିପାଣୀ, ଲୁଣା, ଚିତ୍ରୋତ୍ପଳା ଓ ମହାନଦୀ। ସମୁଦ୍ର ମୁହାଣଠାରୁ ଏହା ମାତ୍ର ୪ କିମି। ସେହିଠାରେ ଇଂରେଜମାନେ ବଡ଼ ବୋଇତ ରଖିଥାନ୍ତି। ସେଇଠୁ ଛୋଟ ଡଙ୍ଗାରେ ସାମଗ୍ରୀ ଧରି ତାଳଦଣ୍ଡା କେନାଲ ବାଟେ କଟକ ଛତ୍ର ବଜାର ଯାତାୟାତ କରନ୍ତି। ତାଳଦଣ୍ଡା କେନାଲ ସେଥିପାଇଁ କରାଯାଇଥିଲା। ମହାନଦୀର ଯୋବ୍ରାଠାରୁ ମଧୁର ପାଣି କେନାଲରେ ଛଡା ଯାଇଥାଏ। ସେହି କେନାଲ ପାଣିକୁ ସେତେବେଳେ ଜଗତ୍ସିଂହପୁର ଜିଲାର ଚାଷୀମାନେ ବ୍ୟବହାର କରି ଚାଷ କରୁଥିଲେ। ଏହି କେନାଲର ୨ଟି ଶାଖା କେନାଲ ରହିଛି। ତାହା ହେଲା ମାଛଗାଁ କେନାଲ ଓ ତାଳଦଣ୍ଡା। ଉକ୍ତ ମଧୁର ପାଣି ସମୁଦ୍ର ଭିତରକୁ ବୋହି ଯାଏ। ସେହି ପାଣିକୁ ରୋକିବା ଲାଗି ଚଉମୁହାଣୀଠାରେ ଉକ୍ତ ଲକ୍ କରାଯାଇଥିଲା। କାଠ କବାଟ ବନ୍ଦ-ଖୋଲିବା ପାଇଁ ଉପରେ ଏକ ଚକ୍ର ଭଳି ହ୍ୟାଣ୍ଡେଲ କରାଯାଇଥିଲା। କେନାଲରେ ଅଧିକ ପାଣି ହେଲେ କବାଟ ଖୋଲି ଛଡ଼ାଯାଏ। ଦରକାର ହେଲେ ବନ୍ଦ କରାଯାଏ। କଟକଠାରୁ ଚଉମୁହାଣୀ ପର୍ଯ୍ୟନ୍ତ ୧୭ ଲକ୍ କରାଯାଇଥିଲା। ସେହି ନମ୍ବର ଓ ନାମ ଅନୁସାରେ ରାଜସ୍ବ ରେକର୍ଡ ଥିବା ଜଣାଯାଏ। ଯେମିତି କୁଜଙ୍ଗ ପାଖ ମଙ୍ଗରାଜପୁର ଗ୍ରାମ ସୀମାକୁ ୧୫ ନମ୍ବର ଲକ୍ କୁହାଯାଉଛି। ସେହି ଲକ୍ ନାମାନୁସାରେ ଲକ୍ ଥାନା ହୋଇଛି। ଯେଉଁଠି ଡାକବଙ୍ଗଳା ଥିଲା ଏବେ ସେଠାରେ ଜଳସମ୍ପଦ ବିଭାଗର ଏକ କାର୍ଯ୍ୟାଳୟ ଓ ଅତିଥି ଭବନ ଅଛି। ତାଳଦଣ୍ଡା କେନାଲରେ ଏବେବି ପାଣି ଜଗତ୍ସିଂହପୁର ଜିଲାର ଅଧିକାଂଶ ଲୋକ ବ୍ୟବହାର କରୁଛନ୍ତି। ସମଗ୍ର ପାରାଦୀପର ୧୫ଟି ବୃହତ ଶିଳ୍ପ ଓ ପାରାଦୀପ ବନ୍ଦର ଉକ୍ତ କେନାଲ ଉପରେ ନିର୍ଭରଶୀଳ। ୧୯୬୨ ଜାନୁୟାରୀ ୩ରେ ପାରାଦୀପ ବନ୍ଦର ଭିତ୍ତିପ୍ରସ୍ତର ହୋଇଥିଲା। ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁ ଓ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସେହି ଡାକ ବଙ୍ଗଳାରେ ରହିଥିଲେ। ସେତେବେଳେ ଉକ୍ତ ବନ୍ଦର ରାଜ୍ୟ ସରକାର ଆରମ୍ଭ କରିଥିଲେ। ସେହି ଚଉମୁହାଣୀଠାରେ ପାରାଦୀପ ବନ୍ଦର ପ୍ରକଳ୍ପର ଅଫିସ ହୋଇଥିଲା। ଯାହା ଏବେ ଭଗ୍ନ ଅବସ୍ଥାରେ ଅଛି। ଏଭଳି ଐତିହାସିକ ସ୍ଥାନକୁ ସଂରକ୍ଷିତ କରିବା ପାଇଁ ସାଧାରଣରେ ଦାବି ହେଉଛି।