ଦୁବାଇ, ୧୩।୧୦: କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲ୍ ପେଟ ଯନ୍ତ୍ରଣାଜନିତ ସ୍ବାସ୍ଥ୍ୟ ସମସ୍ୟାରୁ ସୁସ୍ଥ ହୋଇଛନ୍ତି। ଗୁରୁବାର ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଓ ପଞ୍ଜାବ ମଧ୍ୟରେ ଖେଳାଯିବାକୁ ଥିବା ଚଳିତ ଆଇପିଏଲ୍ର ୩୧ତମ ମୁକାବିଲାରେ ଗେଲ୍ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଫଳରେ ଚଳିତ ଆଇପିଏଲ ଗେଲ୍ଙ୍କର ଏହା ପ୍ରଥମ ମ୍ୟାଚ୍ ହେବ। ପଞ୍ଜାବ ଦଳର ମୁଖ୍ୟ କୋଚ୍ ଅନିଲ କୁମ୍ବଲେ କହିଛନ୍ତି, ‘ଖାଦ୍ୟ ବିଷାକ୍ତ କାରଣରୁ ୪୧ ବର୍ଷୀୟ ଗେଲ୍ ସନ୍ରାଇଜର୍ସ ହାଇଦ୍ରାବାଦ୍ ଓ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ ଖେଳିପାରି ନ ଥିଲେ।’ ଅପରପକ୍ଷରେ ପଞ୍ଜାବ ଦଳ ପକ୍ଷରୁ ଏହାର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟରେ ଗେଲ୍ ଅଭ୍ୟାସ କରୁଥିବାର ଏକ ଫଟୋ ପୋଷ୍ଟ କରାଯାଇଛି। ତେଣୁ ଗେଲ୍ ଗୁରୁବାର ବାଙ୍ଗାଲୋର ବିପକ୍ଷରେ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି।