ନୂଆଦିଲ୍ଲୀ, ୨୧।୯: ବିସ୍ଫୋରକ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ସୋମବାର ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ପଡ଼ିଆ ଭିତରେ ବଡ଼ ବଡ଼ ଛକା ମାରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗେଲ୍ ପଡ଼ିଆ ବାହାରେ ମଧ୍ୟ ନିଜର ଅଲଗା ଲାଇଫ୍ ଷ୍ଟାଇଲ୍ ଲାଗି ବେଶ୍ ପରିଚିତ। ଯଦିଓ ଆଜିର ଦିନରେ ଗେଲ୍ କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି, କିନ୍ତୁ ଏକଦା ଦିନେ ଏତେ ଗରିବ ଥିଲେ ଯେ ଖାଇବା ଲାଗି ଛୋଟବେଳେ ତାଙ୍କୁ ରାସ୍ତାରୁ ଅଳିଆ ସଫା କରିବାକୁ ପଡ଼ୁଥିଲା।
କିଙ୍ଗ୍ସଷ୍ଟନରେ ଜନ୍ମିତ ଗେଲ୍ଙ୍କ ପିଲାଦିନ ଦାରିଦ୍ରତା ମଧ୍ୟରେ ଅତିବାହିତ ହୋଇଥିଲା। ଘର ଚଳାଇବା ଲାଗି ତାଙ୍କ ମା’ କଦଳୀ ବିକ୍ରି କରୁଥିଲେ। ଗେଲ୍ଙ୍କ ପୁରା ପରିବାର ବସ୍ତିରେ ଏକ କୁଡ଼ିଆ ମଧ୍ୟରେ ରହୁଥିଲେ। ଅଧିକ ପାଠ ପଢ଼ାଇବା ଲାଗି ଗେଲ୍ଙ୍କ ବାପା ଓ ମାଙ୍କ ପାଖରେ ଟଙ୍କା ନ ଥିଲା। ତେଣୁ ସେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିପାରିଥିଲେ। ଏହାପରେ ପାଠପଢ଼ା ଛାଡ଼ି ଦେଇଥିଲେ। ପିଲାଦିନେ ଗେଲ୍ଙ୍କ କ୍ରିକେଟ୍ ପ୍ରତି ଆଗ୍ରହ ନ ଥିଲା କିମ୍ବା ସେ ବଡ଼ ହେଲେ କ୍ରିକେଟର୍ ହେବେ ବୋଲି ଭାବି ନ ଥିଲେ। ପେଟ ପୋଷିବା ଲାଗି ସେ ରାସ୍ତାରୁ ଅଳିଆ ସଫା କରୁଥିଲେ। ନିକଟରେ ଏକ ସାକ୍ଷାତ୍କାର ସମୟରେ ଏହି ବାମହାତୀ ବ୍ୟାଟ୍ସମ୍ୟାନ କହିଥିଲେ, ଦିନେ ତାଙ୍କୁ ବହୁତ ଯୋରେ ଭୋକ ଲାଗିଥିଲା। ଖାଇବା ପାଇଁ ତାଙ୍କ ପାଖରେ ଅର୍ଥ ନ ଥି୍ଲା। ତେଣୁ ବାଧ୍ୟ ହୋଇ ଶେଷରେ ସେ ଚୋରି କରିଥିଲେ। ଏହି ସାକ୍ଷାତ୍କାରେ ନିଜ ଜୀବନର ସଂଘର୍ଷପୂର୍ଣ୍ଣ କାହାଣୀ କହୁଥିବାବେଳେ ଗେଲ୍ କାନ୍ଦି ପକାଇଥିଲେ। କ୍ରିକେଟ୍ ଖେଳି ନ ଥିଲେ ଆଜି ମଧ୍ୟ ତାଙ୍କ ଜୀବନ ରାସ୍ତା କଡ଼ରେ କଟୁଥାନ୍ତା ବୋଲି ସେ କହିଥିଲେ।