ଚାପୁଡା ଖାଇବା ପରେ ବଦଳିଗଲା କ୍ରିସ ରକଙ୍କ ଭାଗ୍ୟ

ଚଳିତବର୍ଷ ଓସ୍କାର ବିତରଣ ଉତ୍ସବରେ ଏକ ବିବାଦୀୟ ଘଟଣା ଘଟିଥିଲା। ଏହି ସମାରୋହକୁ ହୋଷ୍ଟିଂ କରୁଥିବା କ୍ରିସ ରକଙ୍କୁ ଶକ୍ତ ଚାପୁଡା ମାରିଥିଲେ ଅଭିନେତା ୱିଲ ସ୍ମିଥ। ଏହି ବିବାଦ ସମଗ୍ର ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି। ଏହି ଘଟଣା ପରେ କ୍ରିସ ରକଙ୍କ ଭାଗ୍ୟ ମଧ୍ୟ ବଦଳିଯାଇଛି। ଗୋଟିଏ ପଟେ ଗୁଗଲରେ ସମସ୍ତେ ତାଙ୍କ ବିଷୟରେ ସୂଚନା ସଂଗ୍ରହ କରୁଥିବାବେଳେ ଷ୍ଟାଣ୍ଡ ଅପ ଶୋ’ରେ ମଧ୍ୟ ତାଙ୍କ ପାରିଶ୍ରମିକ ବଢିଯାଇଛି।
ୱିଲ ସ୍ମିଥଙ୍କଠାରୁ ଚାପୁଡ଼ା ଖାଇବା ପରେ କ୍ରିସ ରକ ଏବେ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ସମୟରେ ତାଙ୍କର କମେଡି ଯାତ୍ରା ମଧ୍ୟ ଲାଭବାନ ହେଉଛି। ରକଙ୍କ ଆଗାମୀ ଷ୍ଟାଣ୍ଡ ଅପ ଶୋ’ ପାଇଁ ଚାହିଦା ବଢିଛି । କେବଳ ଏତିକି ନୁହେଁ, ଶୋ’ର ଟିକେଟ ମୂଲ୍ୟରେ ବୃଦ୍ଧି ଘଟିଛି। ସୂଚନା ଅନୁଯାୟୀ, ମାର୍ଚ୍ଚ ୧୮ରେ କ୍ରିସ ରକ ଏକ ଶୋ’ କରିଥିଲେ, ଯାହାର ଟିକେଟ ମୂଲ୍ୟ ୪୬ ଡଲାର (୩୫୦୦ ଟଙ୍କା) ଥିଲା। କିନ୍ତୁ ଏବେ କ୍ରିସଙ୍କ ଏକ ଶୋ’ ପାଇଁ ଟିକେଟ ମୂଲ୍ୟ ୪୧୧ ଡଲାର (୩୧, ୨୭୪ଟଙ୍କା) କୁ ବୃଦ୍ଧି ପାଇଛି।
କ୍ରିସ ରକ ମାର୍ଚ୍ଚ ୩୦ ଏବଂ ଏପ୍ରିଲ ୧ରେ ବୋଷ୍ଟନର ୱିଲବୁର ଥିଏଟରରେ ଅଭିନୟ କରିବେ। ତାଙ୍କର ଏଠାରେ ୬ଟି ଶୋ’ ହେବ। ଏହା ପରେ କ୍ରିସ ରକଙ୍କ ‘ଇଗୋ ଡେଥ ୱାଲର୍‌ଡ ଟୁର୍‌’ ଏପ୍ରିଲ ୨ ରୁ ଆରମ୍ଭ ହେବ। କ୍ରିସ ୩୦ଟି ସହର ଭ୍ରମଣ କରିବେ । ଏହି ଭ୍ରମଣ ପାଇଁ ତାଙ୍କର ୩୮ ଶୋ’ ସ୍ଥିର ହୋଇସାରିଛି। ସେ ନ୍ୟୁୟର୍କ, ଲସ ଭେଗାସ, ଟରୋଣ୍ଟୋ, ଚିକାଗୋ ଭଳି ଅନେକ ସ୍ଥାନରେ ଅଭିନୟ କରିବେ। ବିଶେଷ କଥା ହେଉଛି, କ୍ରିସ ରକଙ୍କ ଏହି ଯାତ୍ରା ନଭେମ୍ବର ୧୭ରେ ଲସ ଆଞ୍ଜେଲ୍ସର ଡାଲବି ଥିଏଟରରେ ଶେଷ ହେବ। ଏହା ହେଉଛି ସେହି ସ୍ଥାନ, ଯେଉଁଠି କ୍ରିସ ରକଙ୍କୁ ୱିଲ ସ୍ମିଥ ଚାପୁଡା ମାରିଥିଲେ।

Share