ଦିଲ୍ଲୀରେ ଖ୍ରୀଷ୍ଟମାସ, ନୂଆବର୍ଷ ସମାବେଶ ବନ୍ଦ

ନୂଆଦିଲ୍ଲୀ, ୨୩।୧୨ : ଓମିକ୍ରନ୍‌ ସହିତ ଦିଲ୍ଲୀରେ ଦୈନିକ କୋଭିଡ୍‌ ସଂକ୍ରମଣ ୧୨୫କୁ ବୃଦ୍ଧି ପାଇଛି, ଯାହାକି ଗତ ୬ ମାସ ମଧ୍ୟରେ ସର୍ବାଧିକ। ଫଳରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଓମିକ୍ରନ୍‌ ସଂକ୍ରମଣ ବଢ଼ିଚାଲିଥିବାରୁ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଳନ ଲାଗି ସମସ୍ତ ସମାବେଶକୁ ରାଜ୍ୟ ସରକାର ବନ୍ଦ କରିଛନ୍ତି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃୃପକ୍ଷ (ଡିଡିଏମ୍‌ଏ) ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶନାମାରେ ସମସ୍ତ ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ, ଧର୍ମୀୟ ଏବଂ ଅନ୍ୟାନ୍ୟ ଉତ୍ସବଜନିତ ସମାବେଶକୁ ନିଷେଧ କରାଯାଇଛି। କୋଭିଡ୍‌ କଟକଣା ମଧ୍ୟରେ ବୈଠକ, ସମ୍ମିଳନୀ, ବିବାହ, ପ୍ରଦର୍ଶନୀ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ପାଇଁ ପ୍ରେକ୍ଷାଳୟ ଖୋଲିବ ନାହିଁ। ଖ୍ରୀଷ୍ଟମାସ୍‌ ଓ ନୂଆବର୍ଷ ପୂର୍ବରୁ କୋଭିଡ୍‌ର ସୁପରସ୍ପ୍ରେଡର ଆଶଙ୍କା ଥିବା ଅଞ୍ଚଳକୁ ଚିହ୍ନଟ କରାଯିବ। ଜିଲା ମାଜିଷ୍ଟ୍ରେଟ୍‌ମାନେ ସର୍ଭେ କରି ସେଭଳି କଲୋନି, ମାର୍କେଟ, ଗହଳିସ୍ଥାନ ଚିହ୍ନଟ କରିବାକୁ ଡିଡିଏମ୍‌ଏ ପକ୍ଷରୁ କୁହାଯାଇଛି। ଏସ୍‌ଓପି ମଧ୍ୟରେ ସ୍କୁଲ୍‌ କଲେଜ ଖୋଲିବାକୁ ଅନୁମତି ମିଳିବ। ସେହିପରି ରେଷ୍ଟୁରାଣ୍ଟ ଓ ବାର ଅଧା ସିଟ୍‌ ସହ ଖୋଲିବାକୁ ଅନୁମତି ଦିଆଯିବ। ସେହିପରି ଅଡିଟୋରିୟମ ଏବଂ ସଭାଗୃହଗୁଡ଼ିକରେ ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ମିଳିବ। ଜିଲା ପ୍ରଶାସନିକ ଅଧିକାରୀ ଏବଂ ପୋଲିସକୁ ଉକ୍ତ ନିର୍ଦ୍ଦେଶନାମା ପାଳନ କରିବା ସହ ଦୈନିକ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ସେହିପରି ବିନା ମାସ୍କରେ ଗ୍ରାହକଙ୍କୁ ଦୋକାନରେ ପୂରାଇ ନ ଦେବାକୁ ମାର୍କେଟ ଟ୍ରେଡ୍‌ ଆସୋସିଏଶନକୁ ନିର୍ଦ୍ଦେଶ ଦିଆଯାଇଛି।
ଭାରତରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩ରେ ପହଞ୍ଚତ୍ଥିବାବେଳେ ଦିଲ୍ଲୀରେ ୫୭ ଜଣ ସଂକ୍ରମିତ ହେଲେଣି। ସଂକ୍ରମଣ ରୋକିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ରାତ୍ରିକାଳୀନ କର୍ଫ୍ୟୁ ସମେତ ବିଭିନ୍ନ କଟକଣା ଲଗାଇବାକୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଟେଷ୍ଟିଂ, ଟ୍ରାକିଂ ବଢ଼ାଇବା ଏବଂ ଭିଡ଼ ହେବାକୁ ନ ଦେବା ଆଦି ପ୍ରତିକାରମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ମହାରାଷ୍ଟ୍ରରେ ୫୪ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓମିକ୍ରନ୍‌ ଭାରିଆଣ୍ଟ ଆସିବା ପରେ ଦେଶରେ କେଭିଡ୍‌ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ୬,୩୧୭ ନୂଆ କୋଭିଡ୍‌ ମାମଲା ଦେଖାଦେଇଥିବାବେଳେ ୩୧୮ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୭୮,୧୯୦ ରହିଛି। ଡେଲ୍ଟା ତୁଳନାରେ ଓମିକ୍ରନ୍‌ ଭାରିଆଣ୍ଟ ୩ ଗୁଣ ଅଧିକ ଦ୍ରୁତ ବେଗରେ ସଂକ୍ରମିତ ହେଉଛି।

 

 

 

Share