ଚୁଲି ପାଉଁଶ ଏବେ ଅନ୍‌ଲାଇନ୍‌ରେ ବିକ୍ରି

ନୂଆଦିଲ୍ଲୀ,୭।୩: କାଠ ଚୁଲିର ପାଉଁଶ ପୁଣି ଇ-କମର୍ସ ବଜାରରେ ମିଳୁଛି। ଏହା ଶୁଣିଲେ ଯେ କେହି ହୁଏତ ଆଶ୍ଚର୍ଯ୍ୟ ହୋଇ ପାରନ୍ତି। ମାତ୍ର ଏହା ସତ। ତାମିଲନାଡୁର କିଛି ଇ-କମର୍ସ କମ୍ପାନୀ ସେମାନଙ୍କ ଓ୍ବେବସାଇଟ୍‌ରେ ଚୁଲି ପାଉଁଶ ଅନ୍‌ଲାଇନ୍‌ରେ ବିକ୍ରି କରୁଛନ୍ତି। ଏହାକୁ ଡିଶ୍‌ ଓ୍ବାଶିଂ ଉଡ୍‌ ଆଶ୍‌ ଭାବେ ନାମିତ କରାଯାଇଛି। ଏହା ୨୫୦ ଗ୍ରାମ୍‌ ପ୍ୟାକେଟରେ ମିଳୁଛି। ଏହାର ଦାମ ୩୯୯ଟଙ୍କା ରହିଛି। ରିହାତି ଦିଆଯିବା ପରେ ଏହାର ଦାମ ୧୬୦ ଟଙ୍କା ହେଉଛି। ଅର୍ଥାତ୍‌ ଏକ କିଲୋ ଚୁଲି ପାଉଁଶ ଦାମ ୬୪୦ ଟଙ୍କା ରହିଛି। ଏଥିରେ ବାସନ ମାଜିବା ସହିତ ଗଛରେ ମଧ୍ୟ ସାର ଭାବେ ପ୍ରୟୋଗ କରାଯାଇ ପାରିବ ବୋଲି ପ୍ୟାକେଟରେ ଉଲ୍ଲେଖ କରାଯାଇଛି। ସାଧାରଣତଃ ପାଉଁଶରେ ପୋଟାସିୟମ ରହିଥାଏ। ଏହା ଗଛ ପାଇଁ ଆର୍ଗାନିକ୍‌ ସାର ଭାବେ କାର୍ଯ୍ୟ କରିଥାଏ। ସେହିପରି ଏଥିରେ ଥିବା କାର୍ବନ ଯୋଗୁ ମଜା ଯାଉଥିବା ବାସନ ଚମକି ଉଠିଥାଏ।

Share