ଏପିସିଓର ପୂର୍ବତନ ଅଧିକାରୀଙ୍କ ଘରୁ ଏକ କୋଟି ଟଙ୍କା ସମେତ ୩ କେଜି ସୁନା ଜବତ

ଅମରାବତୀ, ୨୨।୮: ଆନ୍ଧ୍ରପ୍ରଦେଶର ହସ୍ତତନ୍ତ ବୁଣାକାର ସମବାୟ ସମିତି (ଏପିସିଓ)ର ପୂର୍ବତନ ଚେୟାରମ୍ୟାନ ଗୁଜାଲ ଶ୍ରୀନିବାସୁଲୁଙ୍କ ଘରୁ ନଗଦ ଏକ କୋଟି ଟଙ୍କା ଏବଂ ୫ କେଜି ଓଜନର ଅଳଙ୍କାର ଜବତ ହୋଇଛି। ରାଜ୍ୟର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି)ର ଅଧିକାରୀମାନେ କଡପା ଜିଲାର ଖାଜିପେଟସ୍ଥିତ ଗୁଜାଲଙ୍କ ଘରେ ଚଢ଼ଉ କରି ଚକିତ କଲାଭଳି ପରିମାଣର ସମ୍ପତ୍ତି ଜବତ କରିଛନ୍ତି। ଯେଉଁଥିରେ ନଗଦ ଏକ କୋଟି ଟଙ୍କା ସମତେ ୩ କେଜି ସୁନା ଓ ୨ କେଜି ରୂପା ଅଳଙ୍କାର ରହିଛି। ସେହିଭଳି ଶ୍ରୀନିବାସୁଲୁଙ୍କ ଘରୁ ୧୦ ଲକ୍ଷ ଟଙ୍କାର ପୁରୁଣା ନୋଟ୍‌ ମଧ୍ୟ ସିଆଇଡି ଅଧିକାରୀମାନେ ଠାବ କରିଥିଲେ। ଶ୍ରୀନିବାସୁଲୁ ବୁଣାକାରଙ୍କ ସହକାରୀ ସମିତି ନାମରେ ସରକାରୀ ସମ୍ପତ୍ତି ଓ ବୁଣାକାରଙ୍କ ସବ୍‌ସିଡ୍‌ର ଦୁରୂପଯୋଗ କରିଥିବା ଅଭିଯୋଗ ହୋଇଛି। ଏଥିସହିତ ସେ ସ୍କୁଲ ପିଲା, ପୋଲିସ କର୍ମଚାରୀଙ୍କ ୟୁନିଫର୍ମ ପାଇଁ କପଡ଼ା ଯୋଗାଣରେ ଅନିୟମିତତା କରିଥିଲେ। ହାଣ୍ଡଲୁମ କପଡ଼ା ବଦଳରେ ସେ ତେଲେଙ୍ଗାନା, କର୍ନାଟକ ଓ ତାମିଲନାଡ଼ୁରେ ପାଓ୍ବାରଲୁମ୍‌ ଦ୍ୱାରା ଉତ୍ପାଦିତ ପଲିଷ୍ଟର କପଡ଼ା ଯୋଗାଇଥିଲେ।

Share