ଓ୍ବାଶିଂଟନ,୩୧ା୭(ଏପି)-ମାନସିକ ସ୍ବାସ୍ଥ୍ୟ କାରଣରୁ ଅଲିମ୍ପିକ୍ସରେ ଜିମ୍ନାଷ୍ଟିକ୍ସ ଟିମ୍ ଇଭେଣ୍ଟରୁ ଓହରିଯିବା ଲାଗି ଆମେରିକାର ଷ୍ଟାର ଜିମ୍ନାଷ୍ଟ ସିମୋନ ବାଇଲ୍ସ ନେଇଥିବା ନିଷ୍ପତ୍ତିକୁ ଆଥ୍ଲେଟା ଓ ଭିସା ସମେତ ତାଙ୍କ ପ୍ରାୟୋଜକଗଣ ପ୍ରଶଂସା କରିଛନ୍ତି। ଖେଳାଳିଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରସଙ୍ଗରେ ପ୍ରାୟୋଜକମାନଙ୍କ ପ୍ରଶଂସା ଏହା ହେଉଛି ସଦ୍ୟତମ ଉଦାହରଣ। ଚଳିତବର୍ଷ ପ୍ରଥମ ଭାଗରେ ଫ୍ରେଞ୍ଚ ଓପନରେ ଟେନିସ ଷ୍ଟାର ନାଓମି ଓସାକା ସମାନ କାରଣରୁ ଯେତେବେଳେ ପ୍ରତିଯୋଗିତାରୁ ଓହରିଗଲେ ସେତେବେଳେ ଜାପାନର ଏହି ଖେଳାଳିଙ୍କୁ ବ ିଭିନ୍ନ ଆଡ଼ୁ ବିପୁଳ ସମର୍ଥନ ମିଳିଥିଲା। ଚଳିତ ଅଲିମ୍ପିକ୍ସରେ ବାଇଲ୍ସ ଚାହିଁଲେ ଜିମ୍ନାଷ୍ଟିକ୍ସର ଅନ୍ୟ କେତେକ ଇଭେଣ୍ଟରେ ଭାଗ ନେଇପାରିବେ। ଆମେରିକୀୟ ଷ୍ଟାର ଜିମ୍ନାଷ୍ଟ ୨୦୧୬ ଅଲିମ୍ପିକ୍ସରେ ୪ ସ୍ବର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ଜିତିଥିଲେ। ଏହାଛଡ଼ା ୨୦୧୩ ପରଠାରୁ ବିଶ୍ୱ ଚାମ୍ପିୟନଶିପ୍ଗୁଡ଼ିକରେ ସେ ୫ ଅଲରାଉଣ୍ଡ ଟାଇଟଲ ହାସଲ କରିଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ୨୪ବର୍ଷୀୟା ବାଇଲ୍ସଙ୍କ ଉପରେ ପ୍ରାୟୋଜକଙ୍କ ଭିଡ଼ ଲାଗିଛି।