ଖୋଲିପାରେ ସିନେମା ହଲ୍‌

ନୂଆଦିଲ୍ଲୀ,୨୯।୯: ଦେଶବ୍ୟାପୀ ଅନ୍‌ଲକ୍‌ ୪.୦ ସେପ୍ଟେମ୍ବର ୩୦ରେ ଶେଷ ହେଉଛି। ଅକ୍ଟୋବର ୧ରୁ ଅନ୍‌ଲକ୍‌ ୫.୦ ଆରମ୍ଭ ହେବ। ଆର୍ଥିକ କାର୍ଯ୍ୟକଳାପକୁ ସ୍ବାଭାବିକ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଥିବାବେଳେ ଅନ୍‌ଲକ୍‌ ୫.୦ରେ ବଡ଼ ବଡ଼ ମଲ୍‌, ଜିମ୍‌, ବାର୍‌, ସିନେମା ହଲ୍‌, ସେଲୁନ୍‌, ରେଷ୍ଟୁରାଣ୍ଟ ଆଦି ସମ୍ପୂର୍ଣ୍ଣ ଖୋଲିପାରେ ବୋଲି କୁହାଯାଉଛି। ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କଟକଣା ସହ ଏ ସବୁ ଆଂଶିକ ଖୋଲିଥିବାବେଳେ ସିନେମା ହଲ୍‌ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇ ନ ଥିଲା। ଏଥିସହ ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି। ଫେଷ୍ଟିଭ୍‌ ସିଜନକୁ ଆଖିଆଗରେ ରଖି ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିବାର ସମ୍ଭାବନା ରହିଛି। ଅନ୍‌ଲକ୍‌ ୪.୦ରେ ସରକାର ମେଟ୍ରୋ ସେବା ଆରମ୍ଭ କରିବାକୁ ଅନୁମତି ପ୍ରଦାନ କରିଥିଲେ। ଏଥିସହ ସେପ୍ଟେମ୍ବର ୨୧ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଲାଗି ସ୍କୁଲ ଆଂଶିକ ଖୋଲିବାକୁ ଅନୁମତି ପ୍ରଦାନ କରିଥିଲେ। ପ୍ରାଥମିକ ସ୍କୁଲ ଖୋଲିବାର ସମ୍ଭାବନା କମ୍‌ ରହିଥିବାବେଳେ ସ୍ଥିତି ଅଧିକ ସ୍ବାଭାବିକ କରିବାଲାଗି ସରକାର ପ୍ରୟାସ କରିପାରନ୍ତି। କରୋନା ସଂକ୍ରମଣ କମି ନ ଥିଲେ ହେଁ ଏଥର ଅନେକ କିଛି ଆର୍ଥିକ କାର୍ଯ୍ୟକଳାପ ସ୍ବାଭାବିକ ସ୍ଥିତିକୁ ଫେରିବା ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି ଆର୍ଥିକ କାର୍ଯ୍ୟକଳାପ ସ୍ବାଭାବିକ କରିବା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ।

Share