ଇମ୍ରାନ୍‌ଙ୍କ ଜାମିନ ଆବେଦନ ଉପରେ ଏଫ୍‌ଆଇଏକୁ ହାଇକୋର୍ଟଙ୍କ ନୋଟିସ, ଜବାବ ଦାଖଲ କରିବାକୁ ଦେଲେ ନିର୍ଦ୍ଦେଶ

ଇସଲାମାବାଦ,୧୮।୯: ଇସଲାମାବାଦ ହାଇକୋର୍ଟ ସୋମବାର ପାକିସ୍ତାନର ଶୀର୍ଷ ଅନୁସନ୍ଧାନକାରୀ ସଂସ୍ଥାକୁ ନୋଟିସ ଜାରି କରି ଗିରଫ ହୋଇ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଜାମିନ ଆବେଦନ ଉପରେ ଜବାବ ମାଗିଛନ୍ତି।

ଇମ୍ରାନ୍‌ ଶନିବାର ତାଙ୍କ ଓକିଲ ସଲମାନ ସଫଦରଙ୍କ ମାଧ୍ୟମରେ ଇସଲାମାବାଦ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ଏକ ସ୍ବତନ୍ତ୍ର କୋର୍ଟ ତାଙ୍କ ଜାମିନକୁ ରଦ୍ଦ କରିଦେଇଥିଲେ। ସେପ୍ଟେମ୍ବର ୧୩ ରେ, ସ୍ବତନ୍ତ୍ର କୋର୍ଟ କୂଟନୈତିକ କେବୁଲ ଲିକ୍‌ ମାମଲାରେ ଇମ୍ରାନ୍‌ ଖାନ ଏବଂ ଦୁଇଥର ବୈଦେଶିକ ମନ୍ତ୍ରୀ ଥିବା ଶାହା ମହମୁଦ କୁରେଶୀଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

ଗତ ବର୍ଷ ମାର୍ଚ୍ଚରେ ପାକିସ୍ତାନୀ ଦୂତାବାସ ପଠାଇଥିବା ଏକ ଦଲିଲ ସଂପର୍କରେ ଦେଶର ଗୁପ୍ତ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଇସଲାମାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ଆମୀର ଫାରୁକ ଇମ୍ରାନ୍‌ ଖାନଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ଫେଡେରାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏଫ୍‌ଆଇଏ) କୁ ନୋଟିସ ଜାରି କରିଛନ୍ତି ଏବଂ ତାଙ୍କ ଆବେଦନ ଉପରେ ଏହାର ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରେ କୋର୍ଟ ଏହି ଶୁଣାଣି ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ଗତ ମାସରେ ଏଫଆଇଏ ଏହି ମାମଲା ଆରମ୍ଭ କରିଥିଲା ଏବଂ ଇମ୍ରାନ୍‌ ଖାନ ସେହି ସମୟରେ ଗିରଫ କରାଯାଇଥିଲା। ତୋଶାଖାନା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଇମ୍ରାନ୍‌ଙ୍କୁ ଅଗଷ୍ଟ ୨ ତାରିଖରୁ ଅଟକ ଜେଲରେ ରଖାଯାଇଛି। ଇସଲାମାବାଦ ହାଇକୋର୍ଟ ଅଗଷ୍ଟ ୨ରେ ତାଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ ମଧ୍ୟ କୂଟନୈତିକ କେବୁଲ ଲିକ୍‌ ମାମଲାରେ ସେ ଅଟକ ଜେଲରେ ରହିଛନ୍ତି।

Share