କେନ୍ଦ୍ରାପଡ଼ା ଅଫିସ, ୬ା୯:ସାରା ଦେଶରେ ୨୦୧୬ ଅକ୍ଟୋବର ୨ରୁ ବର୍ଜ୍ୟବସ୍ତୁ ପରିଚାଳନା ଆଇନକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ବର୍ଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି। ତେବେ ଏହାର ପରିଚାଳନାରେ କେନ୍ଦ୍ରାପଡ଼ା ପୌର ପ୍ରଶାସନ ପଛରେ ପଡିଛି। ଏ ନେଇ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ଜିଟି) ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଆଇନ ପ୍ରଣୟନର ୬ ବର୍ଷ ମଧ୍ୟରେ ଏହା କେବଳ ପ୍ରଚାରରେ ସୀମିତ ରହିଛି। ଗୋବରୀ ନଦୀ ଓ କେନାଲ ଏବେ ବର୍ଜ୍ୟବସ୍ତୁରେ ଭର୍ତ୍ତିି ହୋଇ ଜଳପଥ ପୋତି ହେଉଛି। ସେହିପରି ସହରର ଡ୍ରେନରେ ପ୍ଲାଷ୍ଟକ ଓ ପଲିଥିନ ପଡି ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି।
ଏ ସମ୍ପର୍କରେ ଖଡିଅଙ୍ଗର ମନୋଜ କୁମାର ସିଂହ କୁହନ୍ତି, ୧୫୪ ବର୍ଷର ପୁରୁଣା କେନ୍ଦ୍ରାପଡ଼ା ପୌରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ଠିକ ଢଙ୍ଗରେ ହୋଇ ପାରୁନାହିଁ। ପୂର୍ବରୁ ଗୋବରୀ ନଦୀ ଓ କେନାଲ ଜଳକୁ ସ୍ନାନ ଶୌଚ ଆଦିରେ ବ୍ୟବହାର କରାଯାଉଥିଲା। ଏବେ ଏହି ଦୁଇ ଜଳପଥ ଆବର୍ଜନାରେ ଭରିଯାଇଛି। ଘରୋଇ ଅଶୌଚ କାର୍ଯ୍ୟରେ ନଦୀଜଳ ବ୍ୟବହାର କରାଯାଉଛି। ମାତ୍ର ଏହି ଜଳ ପ୍ରଦୂଷିତ ହୋଇଥିବାରୁ ସ୍ନାନ କଲେ ଦେହ ହାତ କୁଣ୍ଡାଇ ହେଉଛି। ବହୁଦିନ ଧରି ଏହି ଜଳ ଉତ୍ସରେ ଚିଙ୍ଗୁଡିଆ ଦଳ ଭରି ରହିଥିଲେ ମଧ୍ୟ ଜଳ ସମ୍ପଦ ବିଭାଗ ଏହାକୁ ସଫା କରୁନାହିଁ। ଫଳରେ ବର୍ଷାଦିନେ ପୂତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ସାମାଜିକ କର୍ମୀ ସେକ୍ ସାବିର କୁହନ୍ତି, ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରାପଡ଼ା ସହର ପାଇଁ ସମସ୍ୟା ସୃଷ୍ଟି କରିଛି। ଜଣେ ଲୋକ ଦିନକୁ ହାରାହାରି ୫୦୦ ଗ୍ରାମର ଜୈବିକ ଓ ଅଜୈବିକ (ପ୍ଲାଷ୍ଟିକ୍ ଆଦି) ବର୍ଜ୍ୟବସ୍ତୁ ନିଷ୍କାସନ କରୁଛି। ମାସକୁ ସହରରୁ ୭୫ ମେଟ୍ରିକ ଟନ୍ ବର୍ଜ୍ୟବସ୍ତୁ ବାହାରୁଛି। ବର୍ଜ୍ୟବସ୍ତୁ ପରିଚାଳନା ଆଇନ କାର୍ଯ୍ୟକାରୀ ହେଉ ନ ଥିବାରୁ ବହୁ ପାଇଖାନାର ପାଇପ ମୁହଁ ଗୋବରୀ ନଦୀ ଓ କେନାଲକୁ ରହିଛି। ୨୦୧୬ ମସିହାରେ ପ୍ଲାଷ୍ଟିକ ବର୍ଜନ ପାଇଁ ପୌର ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା। ତେବେ ପ୍ରଶାସନିକ ଅବହେଳା କାରଣରୁ କିଛିଦିନ ପରେ ଏ ନେଇ ଗୁରୁତ୍ୱ ରହିଲା ନାହିଁ। ଫଳରେ ବ୍ୟବସାୟ ଅନୁଷ୍ଠାନଠାରୁ ଆରମ୍ଭ କରି ଘରେ ପ୍ଲାଷ୍ଟିକ ଥଳିର ବ୍ୟବହାର ପୁନର୍ବାର ବଢ଼ିଯାଇଛି। ପରିବେଶବିତ୍ ସେକ୍ ଚାନ୍ଦ କହିଛନ୍ତି, ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ପରିବେଶ ପାଇଁ ବିପଦ ସୃଷ୍ଟି କରିଛି। କେତେକ ବୁଲା ଗୋରୁ ଓ କୁକୁର ଖାଦ୍ୟ ସାମଗ୍ରୀ ସହ ପ୍ଲାଷ୍ଟିକକୁ ଗିଳି ଦେଉଛନ୍ତି। ଏହି ପ୍ଲାଷ୍ଟିକ ସମ୍ପୃକ୍ତ ଜୀବଜନ୍ତୁଙ୍କ ପାକସ୍ଥଳୀକୁ ଯାଇ ବିପଦ ସୃଷ୍ଟି କରୁଛି। ସେହିପରି ପ୍ଲାଷ୍ଟିକ ମାଟିରେ ମିଶି ପାରୁ ନ ଥିବାରୁ ବର୍ଷାଜଳ ଭୂଗର୍ଭକୁ ଯାଇପାରୁନାହିଁ। ଫଳରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଆଗାମୀଦିନରେ ଏହା ସହରବାସୀଙ୍କ ପାଇଁ ବିପଦ ସୃଷ୍ଟି କରିବ। ଏ ସମ୍ପର୍କରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳଙ୍କୁ ପଚାରିବାରେ ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରାଯାଇଛି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସହରର ପ୍ରତ୍ୟେକ ସ୍ଥାନରେ ଡଷ୍ଟବିନ ଯୋଗାଇ ଦିଆଯାଇଛି। ଏଥିସହ ବ୍ୟବସାୟୀ ଓ ସହରବାସୀଙ୍କ ମଧ୍ୟରେ ପ୍ଲାଷ୍ଟିକ, ପଲିଥିନ ବ୍ୟବହାର ବନ୍ଦ ପାଇଁ ସଚେତନତା ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି।