Categories: ଜାତୀୟ

୨୦୨୪ରୁ କମ୍ପାର୍ଟମେଣ୍ଟାଲ ପରୀକ୍ଷା ହେବ ନାହିଁ

ନୂଆଦିଲ୍ଲୀ,୧୨ା୧୨: କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ୍‌ ସାର୍ଟିଫିକେଟ ଏକ୍‌ଜାମିନେଶନ୍ସ (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ଶ୍ରେଣୀରେ ୨୦୨୪ଠାରୁ କମ୍ପାର୍ଟମେଣ୍ଟାଲ ପରୀକ୍ଷା ହେବ ନାହିଁ। ଏହା ପରିବର୍ତ୍ତେ ପୁନଃମୂଲ୍ୟାୟନ ବ୍ୟବସ୍ଥା ଲାଗୁ କରାଯିବ। ଏଥିସହିତ ପୂର୍ବରୁ ପ୍ରଚଳିତ ରିଚେକିଂ ବ୍ୟବସ୍ଥା ମଧ୍ୟ ରହିବ ବୋଲି ଗତ ୭ ତାରିଖରେ ସିଆଇଏସ୍‌ସିଇ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରୁ ଜଣାପଡ଼ିଛି। ଏନେଇ ଦେଶର ସମସ୍ତ ସିଆଇଏସ୍‌ସିଇ ପରିଚାଳିତ ବିଦ୍ୟାଳୟର ପ୍ରିନ୍ସପାଲମାନଙ୍କୁ ଜଣାଇ ଦିଆଯାଇଛି।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୨୦୨୪ ପରୀକ୍ଷା ବର୍ଷ ପରଠାରୁ ପରୀକ୍ଷା ଫଳ ସମ୍ପର୍କରେ ତଦାରଖ କରିବା ପ୍ରକ୍ରିୟାରେ ପରିବର୍ତ୍ତନ କରାଯିବ। ଜାତୀୟ ଶିକ୍ଷାନୀତି(ଏନ୍‌ଇପି), ୨୦୨୦ର ପ୍ରଗତିଶୀଳ ଅଗ୍ରଗତି ଲକ୍ଷ୍ୟରେ ବର୍ତ୍ତମାନର ରିଚେକିଂ ବ୍ୟବସ୍ଥା ସହ ଉତ୍ତର ଖାତା ପୁନଃମୂଲ୍ୟାୟନ ବ୍ୟବସ୍ଥା ଲାଗୁ କରିବାକୁ ସିଆଇଏସ୍‌ସିଇ ନିଷ୍ପତ୍ତି ନେଇଛି। ସେହିପରି ୨୦୨୪ରୁ କମ୍ପାର୍ଟମେଣ୍ଟାଲ ପରୀକ୍ଷା ଯୋଜନା ସମ୍ପୂର୍ଣ୍ଣ ବନ୍ଦ ହେବ। ପରୀକ୍ଷା ବର୍ଷ ୨୦୨୪ରୁ ଛାତ୍ରୀଛାତ୍ରଙ୍କ ପାଇଁ ସର୍ବାଧିକ ଦୁଇଟି ବିଷୟରେ ଅଗ୍ରଗତି ପରୀକ୍ଷା ସୁଯୋଗ ରହିବ ବୋଲି ସିଆଇଏସ୍‌ସିଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Share