Categories: ଖେଳ

ଭୁବନେଶ୍ୱରରେ ସିଆଇଏସ୍‌ସିଇ ଜାତୀୟ ଫୁଟ୍‌ବଲ

ଭୁବନେଶ୍ୱର, ୫।୧୦ (ତପନ ସ୍ବାଇଁ): ରୁଚିକା ସ୍କୁଲ ଆନୁକୂଲ୍ୟରେ ଭୁବନେଶ୍ୱରରେ ପ୍ରଥମଥର ପାଇଁ ସିଆଇଏସ୍‌ସିଇ(କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ୍ସ) ଜାତୀୟ କ୍ରୀଡ଼ାର ୧୯ ବର୍ଷରୁ କମ୍‌ ଫୁଟବଲ ଟୁର୍ନାମେଣ୍ଟ ହେବାକୁ ଯାଉଛି। ଏହି ପ୍ରତିଯୋଗିତା ୟୁନିଟ-୧ସ୍ଥିତ ଭୁବନେଶ୍ୱର ଫୁଟ୍‌ବଲ ଏକାଡେମୀ ପଡ଼ିଆରେ ଚଳିତ ମାସ ୬ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ଆନ୍ଧ୍ରପ୍ରଦେଶ-ତେଲଙ୍ଗାନା, ବିହାର-ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ-ଛତିଶଗଡ଼, ଉତ୍ତର ପଶ୍ଚିମ-କର୍ନାଟକ, କେରଳ, ମହାରାଷ୍ଟ୍ର, ଉତ୍ତର ଭାରତ, ଓଡ଼ିଶା, ତାମିଲନାଡ଼ୁ-ପୁଡୁଚେରୀ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ-ଉତ୍ତର ପୂର୍ବାଞ୍ଚଳ ଓ ୟୁଏଇ ଆଦି ୧୩ଟି ଦଳ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ଦଳ ନିଜ ନିଜ ଅଞ୍ଚଳର ପ୍ରତିନିଧିତ୍ୱ କରିବେ। ପ୍ରତିଯୋଗିତାରେ ମୋଟ ୧୯ଟି ମ୍ୟାଚ ଖେଳାଯିବ। ”ସିଆଇଏସ୍‌ସିଇ ଜାତୀୟ କ୍ରୀଡ଼ାକୁ ପ୍ରତିବର୍ଷ ମୁଖ୍ୟତଃ ୩ଟି ୧୪, ୧୭ ଓ ୧୯ ବର୍ଷରୁ କମ୍‌ ବାଳିକା ଓ ବାଳକ ବର୍ଗରେ ଜୋନ୍‌, ଆଞ୍ଚଳିକ ଏବଂ ଜାତୀୟ ସ୍ତରରେ ଆୟୋଜନ କରାଯାଉଛି।

ଚଳିତ ବର୍ଷ ରୁଚିକା ହାଇସ୍କୁଲ କୋଡ୍‌ ଓଆର୍‌୦୫୪(ଓଡ଼ିଶା ଅଞ୍ଚଳ)ରେ ୧୯ ବର୍ଷରୁ କମ୍‌ ବାଳକ ଫୁଟ୍‌ବଲ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି“ ବୋଲି ବୁଧବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରୁଚିକା ହାଇସ୍କୁଲ ପ୍ରିନ୍ସିପାଲ ଲିଲା ଖୁରାନା ପ୍ରକାଶ କରିଛନ୍ତି। ଉକ୍ତ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରୁଚିକା ହାଇସ୍କୁଲର ନିର୍ଦ୍ଦେଶକ ଜି.ଏସ୍‌. ଖୁରାନା, ୟୁନିଟ-୪ ଭେଙ୍କଟେଶ୍ୱର ଇଂଲିଶ ମିଡିୟମ ସ୍କୁଲ ପ୍ରିନ୍ସିପାଲ ବି.କେ. ତ୍ରିପାଠୀ ଓ ମ୍ୟାଚ କମିଶନର ଶିବଶଙ୍କର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Share