Categories: ଜାତୀୟ

କଙ୍ଗନାଙ୍କୁ ଚାପୁଡ଼ା ମାରି ଗିରଫ ହେଲେ ମହିଳା କନଷ୍ଟେବଳ

ନୂଆଦିଲ୍ଲୀ, ୭ା୬: ନୂଆକରି ଏମ୍‌ପି ହୋଇଥିବା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କୁ ଚାପୁଡ଼ା ମାରିଥିବା ସିଆଇଏସ୍‌ଏଫ୍‌ର କନଷ୍ଟେବଳଙ୍କୁ ଗିରଫ କରାଯାଇଛି। ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଗୁରୁବାର ତାଙ୍କୁ କାର୍ଯ୍ୟରୁ ନିଲମ଼୍ବନ କରାଇଯାଇଥିଲା। କୃଷକ ମାନଙ୍କ ବିରୋଧରେ ଦେଇଥିବା ଏକ ମନ୍ତବ୍ୟକୁ ନେଇ ମହିଳା କନଷ୍ଟେବଳ କୁଲବିନ୍ଦର କୌର ଏପରି ବ୍ୟବହାର କରିଥିବା ଜଣାପଡ଼ିଛି । ଅଭିନେତ୍ରୀ ଏନେଇ ଅଭିଯୋଗ କରିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

କଙ୍ଗନାଙ୍କ ରାଜନୈତିକ ପରାମର୍ଶଦାତାଙ୍କ ଅନୁଯାୟୀ, ଜଣେ ସିଏସ୍‌ଏଫ ମହିଳା ଗାର୍ଡ ଚଣ୍ଡିଗଡ଼ ବିମାନବନ୍ଦର ଭିତରେ କଙ୍ଗନାଙ୍କୁ ଚାପୁଡ଼ା ମାରିଥିଲେ। ସେମାନେ ଦାବି କରିଥିଲେ ଯେ, ସିଏସ୍‌ଏଫ ଗାର୍ଡଙ୍କୁ ହଟାଇ ଦିଆଯାଉ ଏବଂ ଯଥାଶୀଘ୍ର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କୃଷକ ଆନ୍ଦୋଳନ ବିରୋଧରେ କହିବାକୁ ନେଇ ସିଏସ୍‌ଏଫ ଗାର୍ଡ କଙ୍ଗନାଙ୍କ ଉପରେ ରାଗିଥିଲେ।

ମଣ୍ଡିରୁ ଲୋକ ସଭା ନିର୍ବାଚନ ଜିତିବା ପରେ କଙ୍ଗନା ଗୁରୁବାର ଦିଲ୍ଲୀ ଯାଉଥିବା ସମୟରେ ଚଣ୍ଡିଗଡ଼ ବିମାନବନ୍ଦରରେ ଏ ଘଟଣା ଘଟିଥିଲା।

Share