Categories: ଖେଳ

ଧୋନୀଙ୍କ ବଡ଼ ପ୍ରଶଂସକ ପାଲଟିଲେ ଏହି ସିଆଇଏସ୍‌ଏଫ୍‌ ଅଫିସର, ଭାବୁକ ପୋଷ୍ଟ କରି କହିଲେ…

ନୂଆଦିଲ୍ଲୀ,୨୯।୮: କ୍ରିକେଟରେ ସେ ଯେତିକି ସଫଳ, ଭଲ ମଣିଷ ଭାବେ ସେତିକି ଲୋକପ୍ରିୟ। ସେ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ। ତାଙ୍କ ସହ କିଛି ମିନିଟ ସମୟ ବିତାଇଲେ ଯେକେହି ପ୍ରଶଂସକ ପାଲଟିଯାଆନ୍ତି। ଏହାର ଏକ ନିଚ୍ଛକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ରାଞ୍ଚି ବିମାନବନ୍ଦରରେ ଜଣେ ସିଆଇଏସ୍‌ଏଫ୍‌ ଅଫିସର ଏବେ ଧୋନୀଙ୍କ ବଡ଼ ପ୍ରଶଂସକ ପାଲଟିଛନ୍ତି।

ସିଆଇଏସ୍‌ଏଫ୍‌ ଅଫିସର ସତୀଶ ପାଣ୍ଡେ ଶନିବାର ବିମାନବନ୍ଦରରେ ଧୋନୀଙ୍କୁ ଭେଟିଥିଲେ। କ୍ୟାପଟେନ କୁଲଙ୍କ ସହ କିଛି ମିନିଟ ଏଭଳି ଥିଲା ଯେ ତାଙ୍କ ମନରେ ଗଭୀର ଛାପ ଛାଡ଼ିଥିଲା। ଏବେ ସେ ଏକ ନୋଟ୍‌ ଲେଖି ଖୁସିବ୍ୟକ୍ତ କରିଛନ୍ତି।

ଧୋନୀଙ୍କ ସହ ଫଟୋ ସୋସିଆଲ ମିଡିଆରେ ଶେୟାର କରି ସତୀଶ ଲେଖିଛନ୍ତି, ମୁଁ ବହୁତ ଭାଗ୍ୟଶାଳୀ ଯେ ମୋତେ ଦେଶର ସେବା କରିବାର ସୁଯୋଗ ମିଳିଛି। ହେଲେ ଆଜି ମୁଁ ନିଜକୁ ଆହୁରୀ ଭାଗ୍ୟବାନ ବୋଲି ମନେ କରୁଛି। କାରଣ ମୋତେ ମୋର ପ୍ରିୟ ଲୋକଙ୍କୁ ଭେଟିବାର ସୁଯୋଗ ମିଳିଥିଲା। ଫଟୋରେ ନଜର ଆସୁଥିବା ହସରୁ ମୋର ଖୁସି ଜଣାପଡ଼ୁଥିବ ନିଶ୍ଚୟ। ସେ କେବଳ ଜଣେ ମହାନ କ୍ରିକେଟ ନୁହନ୍ତି ବରଂ ଜଣେ ଭଲ ମଣିଷ।

ତେବେ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ଧୋନୀ। ହେଲେ ଆଜି ବି ତାଙ୍କ ପ୍ରଶଂସକ କାହିଁରେ କେତେ। କେବଳ ତାଙ୍କୁ ଦେଖିବା ଲାଗି ଆଇପିଏଲ୍‌ ସମୟରେ ପ୍ରଶଂସକଙ୍କ ଭିଡ ଜମେ।

Share