Categories: ଜାତୀୟ

ନ୍ୟାୟପାଳିକା ଉପରେ ଦେଶବାସୀଙ୍କ ଭରସା

ନୂଆଦିଲ୍ଲୀ, ୧୮।୭: ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ଭାରତର ବିଚାର ବ୍ୟବସ୍ଥା ଉପରେ ଦେଶବାସୀଙ୍କ ଭରସା ରହିଛି। ସେମାନେ କୋର୍ଟରୁ ନ୍ୟାୟ ପାଇବା ନେଇ ଦୃଢ଼ ନିଶ୍ଚିତ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମାନା ଶନିବାର କହିଛନ୍ତି। ଯେତେବେଳେ ଦେଶରେ କିଛି ଭୁଲ୍‌ କାର୍ଯ୍ୟ ହୁଏ, ସେତେବେଳେ ସର୍ବବୃହତ୍‌ ଗଣତନ୍ତ୍ରର ଅଭିଭାବକ ଭାବେ ସୁପ୍ରିମକେର୍ଟ ଜନସାଧାରଣଙ୍କ ପାଖରେ ଛିଡ଼ାହେବ ବୋଲି ସେମାନଙ୍କର ବିଶ୍ୱାସ ରହିଥିବା ଜଷ୍ଟିସ ରମାନା କହିଛନ୍ତି। ଭାରତ-ସିଙ୍ଗାପୁର ମଧ୍ୟସ୍ଥତା ସମିଟ୍‌ରେ ଉଦ୍‌ବୋଧନ ଦେଇ ସିଜେଆଇ କହିଥିଲେ, ଭାରତ ବହୁ ଧର୍ମ, ଭାଷା, ସଂସ୍କୃତିର ଦେଶ ଯେଉଁଠି ବିବିଧତା ମଧ୍ୟରେ ଏକତା ରହିଛି। ଭାରତରେ ଆଇନର ଶାସନ ଚାଲେ ଏବଂ ନ୍ୟାୟପାଳିକା ଉପରେ ସମସ୍ତଙ୍କର ପୂରା ଭରସା ରହିଥିବା ସିଜେଆଇ କହିଥିଲେ।
ଦେଶର ବିଭିନ୍ନ ଅଦାଲତରେ ୪.୫ କୋଟି ମାମଲା ବିଚାର ଅପେକ୍ଷାରେ ରହିଥିବା ଖବର ଅତିରଞ୍ଜିତ। ତେବେ ବିଚାର ପ୍ରକ୍ରିୟାରେ ବିଳମ୍ବର ଅନ୍ୟତମ କାରଣ ବିଳାସପୂର୍ଣ୍ଣ ମାମଲା ବୋଲି ଜଷ୍ଟିସ୍‌ ରମାନା କହିଥିଲେ। ରାଜନୈତିକ, ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଏବଂ ଧର୍ମୀୟ ଆଦି ବିଭିନ୍ନ କାରଣରୁ ସମାଜରେ ବିବାଦ ଦେଖାଦେଇଥାଏ, ଯାହାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ତେବେ ବିବାଦର ସମାଧାନ ପାଇଁ ଏକ ବ୍ୟବସ୍ଥାର ବିକାଶ କରାଯିବା ଆବଶ୍ୟକ। ସଅଳ ମଧ୍ୟସ୍ଥତା ଉଦ୍ୟମ ବିବାଦ ସମାଧାନର ଏକ ଭଲ ମାଧ୍ୟମ ବୋଲି ମହାଭାରତର ଉଦାହରଣ ଦେଇ ସିଜେଆଇ କହିଥିଲେ। ବ୍ରିଟିଶ ଶାସନ ପୂର୍ବରୁ ଭାରତୀୟ ଲୋକାଚାରରେ ମଧ୍ୟସ୍ଥତା ଗଭୀର ଭାବରେ ଜଡ଼ିତ ତଥା ବହୁ ପ୍ରଚଳିତ ଥିଲା। ବିବାଦ ସମାଧାନ ଦିଗରେ ବିଭିନ୍ନ ପ୍ରକାର ମଧ୍ୟସ୍ଥତା ଚଳି ଆସୁଥିଲା। ଅଧିକାଂଶ ଏସୀୟ ଦେଶରେ ଏଭଳି ଆପୋସ ସମାଧାନ ପରମ୍ପରା ଦୀର୍ଘଦିନ ଧରି ଚାଲିଥିବା ସିଜେଆଇ କହିଛନ୍ତି ।

Share