Categories: ଜାତୀୟ

ଦେଶବାସୀ ଦେଖୁଛନ୍ତି କଥା କାର୍ଯ୍ୟ ମଧ୍ୟରେ ଥିବା ପାର୍ଥକ୍ୟ, ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ…

ନୂଆଦିଲ୍ଲୀ, ୧୭।୮ : ବିଲକିସ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଅପରାଧୀଙ୍କ ମୁକ୍ତ କରିବା ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ କଥାଓ କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟକୁ ଦେଖୁଛି। ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି, ଏଭଳି ନିଷ୍ପତ୍ତି ଦେଶର ମହିଳାମାନଙ୍କୁ କେଉଁ ବାର୍ତ୍ତା ଦେଉଛି?

ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି ଯେ ଯେଉଁମାନେ ୫ ମାସର ଗର୍ଭବତୀ ମହିଳାଙ୍କୁ ବଳାତ୍କାର କରି ତାଙ୍କ ୩ ବର୍ଷର ଶିଶୁକନ୍ୟାଙ୍କୁ ହତ୍ୟା କରିଥିଲେ ସେମାନଙ୍କୁ ସ୍ବାଧୀନତାର ଅମୃତ ମହୋତ୍ସବ ସମୟରେ ମୁକ୍ତ କରାଯାଇଛି। ଦେଶର ଶକ୍ତି ବିଷୟରେ କହୁଥିବା ଦେଶର ମହିଳାମାନଙ୍କୁ ଏହା କ’ଣ ବାର୍ତ୍ତା ଦେଉଛି? ସେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ, ସମଗ୍ର ଦେଶ ତୁମର କଥା ଓ କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟ ଦେଖୁଛି ।

୨୦୦୨ ଗୁଜୁରାଟ ଦଙ୍ଗା ସମୟରେ ଗର୍ଭବତୀ ମହିଳା ବିଲକିସ ବାନୋଙ୍କୁ ଗଣ ବଳାତ୍କାର କରାଯାଇଥିଲା। ଏହା ପରେ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ୧୧ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରଥିଲେ। ତେବେ ସମସ୍ତ ଦୋଷୀଙ୍କୁ ଗୁଜରାଟ ସରକାରଙ୍କ ମୁକ୍ତ ନୀତି ଅନୁଯାୟୀ ଖଲାସ କରାଯାଇଥିଲା।

ଅପରପକ୍ଷରେ ତେଲେଙ୍ଗାନା ମନ୍ତ୍ରୀ କେ.ଟି. ରାମା ରାଓ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ସେ କହିଛନ୍ତି ଯେ ବିଲକିସ ବାନୋ ଗଣ ବଳାତ୍କାର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ହତ୍ୟା ମାମଲାରେ ୧୧ ଜଣ ଦୋଷୀଙ୍କୁ ଛାଡ ପ୍ରଦାନ କରିବାକୁ ଗୁଜରାଟ ସରକାରଙ୍କ ନିଷ୍ପତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ହସ୍ତକ୍ଷେପ କରିବା ଉଚିତ।

ରାମା ରାଓ ଏକ ଟୁଇଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଯଦି ପ୍ରକୃତରେ ମହିଳାମାନଙ୍କ ସମ୍ମାନ ବିଷୟରେ କହିଥାନ୍ତି ତେବେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଜରୁରୀ। ପ୍ରଧାନମନ୍ତ୍ରୀ ଗୁଜରାଟ ସରକାରଙ୍କ ଛାଡ଼ ଆଦେଶକୁ ପ୍ରତ୍ୟାହାର କରନ୍ତୁ ବୋଲି ସେ କହିଛନ୍ତି।

Share