ନଗର ସଂକୀର୍ତ୍ତନ, ପୂର୍ଣ୍ଣାହୁତି ଆଜି

ଭଦ୍ରକ ଅଫିସ, ୧୦।୪ – ଭଦ୍ରକ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଗାନ୍ଧୀପଡ଼ିଆରେ ଐତିହାସିକ ଶ୍ରୀରାମ ନବମୀ ମହାଯଜ୍ଞ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ରବିବାର ନଗର ସଂକୀର୍ତ୍ତନ ଏବଂ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଛି। ଏହାପରେ ଶ୍ରୀରାମ ନବମୀ ମହୋତ୍ସବ ଉଦ୍‌ଯାପିତ ହେବ। ଚଳିତବର୍ଷ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ରୀତିନୀତି ଅନୁଯାୟୀ ପୂଜାପାଠ କରାଯାଉଛି।
ଆଜ୍ଞାମାଳ ଅଣାଯିବା ପରେ କଳସ ଶୋଭାଯାତ୍ରା କରାଯାଇ ଯଜ୍ଞ କର୍ମ ଆରମ୍ଭ ହୋଇଛି। ଭଦ୍ରକ ସହରର ଲୋକନାଥ ମନ୍ଦିରରୁ ଘଟ ଅଣାଯାଇ ରୀତିନୀତି ମୁତାବକ ପୂଜାକର୍ମ ଚାଲିଛି। ୩ ଦିନ ଧରି ଯଜ୍ଞ ମଣ୍ଡପରେ ପୂଜାପାଠ ସହ ହନୁମାନ ଚାଳିଶା ପାଠ ଆୟୋଜନ କରାଯାଇଛି। କର୍ତ୍ତାକର୍ତ୍ତୀ ଭାବେ ସନାତନ ସାହୁ, ଅମ୍ବିକା ଦାସ, ପ୍ରହଲ୍ଲାଦ ନାୟକ ସପତ୍ନୀକ ସଂକଳ୍ପ କରିଛନ୍ତି। ଶ୍ରୀରାମ ମହାଯଜ୍ଞ ସମିତିର ସଭାପତି ରାୟ ରାମାନନ୍ଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସମ୍ପାଦକ ଶରତ ପଢିଆରୀ, ସଂଯୋଜକ ଗୋବିନ୍ଦ ରାଉତ, ଯୁଗ୍ମ ସମ୍ପାଦକ ତପନ ମହାନ୍ତି, ଉପସଭାପତି ପ୍ରଦୀପ୍ତ ବିଶ୍ୱାଳ, ସହ କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ସ୍ବାଧୀନ ସୁନ୍ଦର ଦାସ, ସୁରେଶ ସାମଲ, ସୂର୍ଯ୍ୟବଂଶୀ ସୂରଜ, ସ୍ବରୂପାନନ୍ଦ ମହାପାତ୍ର, ଦେବାଂଶୁ ରାଉତ ପ୍ରମୁଖ ମହୋତ୍ସବ ଓ ଯଜ୍ଞ କାର୍ଯ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି।

Share