Categories: ଜାତୀୟ

ବର୍ଷାରେ ଉବୁଟୁବୁ ସହର: ଦେଶର ୫୬ ପ୍ରତିଶତ ସହରରେ ସ୍ବିରେଜ ବ୍ୟବସ୍ଥା ଖରାପ

ନୂଆଦିଲ୍ଲୀ, ୩୧।୮: ବର୍ଷା ହେଲେ ଦେଶର ବହୁ ସହରର ଅବସ୍ଥା ଖରାପ ହୋଇଯାଇଥାଏ। କେତେକ ସହରରେ ଉବୁଟୁବୁ ସ୍ଥିତି ଦେଖାଦେଇଥାଏ। ଏକ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର ୫୬.୪ ସହରରେ ସ୍ବିରେଜ ବ୍ୟବସ୍ଥା ଅତି ଖରାପ ଅବସ୍ଥାରେ ରହିଛି। ବହୁ ସ୍ମାର୍ଟ ସିଟିରେ ଡ୍ରେନେଜ୍‌ ବ୍ୟବସ୍ଥା ଅତି ଖରାପ ରହିଛି। ସେହିପରି ୪୫୦୦ ସହର ଅଞ୍ଚଳରେ ଡ୍ରେନେଜ୍‌ ପ୍ରଣାଳୀରେ ବର୍ତ୍ତମାନ ସୁଦ୍ଧା ସୁଧାର ଆସି ପାରିନାହିଁ। ଉତ୍ତରପ୍ରଦେଶର ୩୦ ପ୍ରତିଶତ ସହର ଅଞ୍ଚଳରେ ସ୍ବିରେଜ୍‌ ଲାଇନ୍‌ ରହିଛି। ସେହିପରି ବିହାରରେ ୧୩ ପ୍ରତିଶତ ଅଞ୍ଚଳରେ ସ୍ବିରେଜ ଟ୍ରିଟ୍‌ମେଣ୍ଟ୍‌ ପ୍ରଣାଳୀ ଅଛି। ଭାରତରେ ୮୦ ପ୍ରତିଶତ ସ୍ବିରେଜ୍‌ ଲାଇନ୍‌ରେ କେବଳ ମଳମୂତ୍ର ନିଷ୍କାସିତ ହୋଇ ନଦୀରେ ମିଶିଥାଏ। ଏହା ଦ୍ୱାରା ନଦୀଜଳ ପ୍ରଦୂଷିତ ହୋଇଥାଏ। ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶର ବହୁ ଅଞ୍ଚଳରେ ସ୍ବିରେଜ୍‌ ବ୍ୟବସ୍ଥା ଅତି ଖରାପ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦିଲ୍ଲୀରୁ ପ୍ରତିଦିନ ବାହାରୁ ଥିବା ୩ ହଜାର ୨୬୮ ନିୟୁତ ଲିଟର ସ୍ବିରେଜରୁ କେବଳ ୨ ହଜାର ୫୬୦ ନିୟୁତ ଲିଟରର ଟ୍ରିଟ୍‌ମେଣ୍ଟ୍‌ କରାଯାଇଥାଏ। ଉତ୍ତରାଖଣ୍ଡରେ ୧୦ ପ୍ରତିଶତ ସ୍ବିରେଜର ଟ୍ରିଟ୍‌ମେଣ୍ଟ ହୋଇଥାଏ। ସ୍ବଚ୍ଛ ସହର ଇନ୍ଦୋରର ଏକ ତୃତୀୟାଂଶ ଓ୍ବାର୍ଡରେ ସ୍ବିରେଜ୍‌ ଲାଇନ୍‌ ରହିଛି। ସେହିପରି ଲକ୍ଷ୍ନୌ ଏକ ପୁରୁଣା ସହର ହୋଇଥିବାରୁ ଏଠାରେ ଆଧୁନିକ ସ୍ବିରେଜ୍‌ ବ୍ୟବସ୍ଥାର ଅଭାବ ରହିଛି। ବାରାଣସୀରେ ୧୫୯୬ କିମି ସ୍ବିରେଜ୍‌ ଲାଇନ୍‌ର ଆବଶ୍ୟକତା ଥିବାବେଳେ ୮୦୫ କିମି ଲାଇନ୍‌ ପକାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।

Share