ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ସହରକୁ ଅଧିକ ଟାର୍ଗେଟ କରାଯାଉଛି, ଭାରତର ମନ୍ତବ୍ୟ…

ନୂଆଦିଲ୍ଲୀ/କ୍ୱିଭ୍‌/ମସ୍କୋ, ୩୦।୬ : ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୧୨୬ ଦିନ ବିତିଛି। ଗୋଟିଏ ଦିନ ପୂର୍ବରୁ କ୍ରାମେଚକର ଏକ ଶପିଂ ମଲ ଉପରେ ରୁଷିଆ ସେନା ପକ୍ଷରୁ କ୍ଷେପଣସ୍ତ୍ର ମାଡ଼ କରାଯାଇଥିଲା। ଏନେଇ ମିଳିତ ଜାତିସଂଘରେ ଭାରତ କହିଛି ଯେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ସହରାଞ୍ଚଳର ଗୁରୁତ୍ୱପୂର୍ଣ୍ଣ ନାଗରିକ ଭିତ୍ତିଭୂମି ଯୁଦ୍ଧର ସହଜ ଲକ୍ଷ୍ୟ ପାଲଟିଛି।

ସହରକୁ ଟାର୍ଗେଟ କରାଯାଉଛି। ଯୁଦ୍ଧ ଯୋଗୁ ସହର ଗୁଡ଼ିକ ଧ୍ୱଂସସ୍ତୁପ ପାଲଟୁଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ ଉପରେ ଭାରତର ସ୍ଥାୟୀ ଡେପୁଟି ପ୍ରତିନିଧୀ ଆର. ରବିନ୍ଦ୍ର କହିଛନ୍ତି, ଏହି ଯୁଦ୍ଧ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ବିଶେଷକରି ମହିଳା, ଶିଶୁ ଏବଂ ବୃଦ୍ଧମାନଙ୍କ ପାଇଁ ସମସ୍ୟା ଉପୁଜିଛି।
ସେ କହିଛନ୍ତି ଯେ ଲକ୍ଷ ଲକ୍ଷ ଲୋକ ଭିଟାମାଟି ଛାଡ଼ି ପଡୋଶୀ ଦେଶରେ ଶରଣାର୍ଥୀ ଭାବେ ଆଶ୍ରୟ ନେଇଛନ୍ତି। ରବିନ୍ଦ୍ର କହିଛନ୍ତି, ୟୁକ୍ରେନ ପରିସ୍ଥିତିକୁ ନେଇ ଭାରତ ବହୁତ ଚିନ୍ତିତ। ରାଜନୈତିକ ଏବଂ ଶାନ୍ତି ରକ୍ଷା ବିଭାଗର ଡେପୁଟି ସେକ୍ରେଟେରୀ ରୋଜେମାରି ଡି କାର୍ଲୋ, ୟୁକ୍ରେନର କ୍ରାମେଚକ ସହରର ମଲ ଉପରେ ହୋଇଥିବା କ୍ଷେପଣାସ୍ତ୍ର ମାଡ଼ରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଥିବା କହିଛନ୍ତି।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ଡିଜିଟାଲ ମାଧ୍ୟମ ମାଧ୍ୟମରେ ପରିଷଦର ଏହି ବୈଠକକୁ ସମ୍ବୋଧିତ କରିଛନ୍ତି। ଫେବୃଆରୀରେ ଯୁଦ୍ଧ ଆରମ୍ଭ ହେବା ପରେ ଏହା ଦ୍ୱିତୀୟ ଥର ଥିଲା ଯେ ଜେଲେନସ୍କି ୧୫ ସଦସ୍ୟ ବିଶିଷ୍ଟ ସୁରକ୍ଷା ପରିଷଦ ସହିତ ସିଧାସଳଖ କଥା ହୋଇଥିଲେ। ସେ କହିଛନ୍ତି ଯେ ରୁଷିଆ କ୍ରମାଗତ ଭାବରେ ଆତଙ୍କବାଦୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ତାକୁ ଏପରି କାର୍ଯ୍ୟରୁ ନିବୃତ୍ତ କରିବାକୁ ବିଶ୍ୱ ସମ୍ପ୍ରଦାୟକୁ ଆଗକୁ ଆସିବାକୁ ପଡିବ।

Share