ଭବାନୀପାଟଣା,୨୭।୯(ସ୍ବ.ପ୍ର.): ଆସିଛି ପାର୍ବଣ। ଧରା ପୃଷ୍ଟରେ ଅବତରଣ କରିବେ ମା’ ଜଗତ ଜନନୀ ଦୁର୍ଗା। ଏବେ ଚାରିଆଡେ ଉତ୍ସବମୁଖର। ଚଳିତବର୍ଷ କଟକଣାମୁକ୍ତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଚଳଚଞ୍ଚଳ ହୋଇ ଉଠିଛି ଭବାନୀପାଟଣା ସହର। ଆକର୍ଷଣୀୟ ମେଢ ସାଙ୍ଗକୁ ସୁସଜ୍ଜିତ ଆଲୋକମାଳାରେ ଝଲସି ଉଠୁଛି ଭବାନୀପାଟଣା ସହର।
ଚଳିତବର୍ଷ ନକଟିଗଡ଼ା ପୂଜା କମିଟି ପକ୍ଷରୁ ପ୍ରଦର୍ଶିତ ହେବ ଦାଣ୍ଡିଯାତ୍ରା। ଏହାସହ ଭବାନୀପାଟଣା ସହରର ବିବିସିପଡ଼ା ପୂଜାକମିଟି, ଜନତା ପୂଜାକମିଟି, ପ୍ରଦେଶୀପଡ଼ା ପୂଜାକମିଟି ଓ ନକଟିଗୁଡା ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହା ଛଡା ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ବିଭିନ୍ନ ମୂର୍ତ୍ତିମାନ ତିଆରି ହୋଇଛି। ସନ୍ଧ୍ୟାରେ ସୁସଜ୍ଜିତ ଆଲୋକ ମାଳାରେ ଝଲସି ଉଠୁଛି ଭବାନୀପାଟଣା ସହର।
ଶ୍ରଦ୍ଧାଳୁ ଓ ଦର୍ଶକମାନଙ୍କ ପାଇଁ ମୀନା ବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ମଧ୍ୟ ଆୟୋଜନ କରାଯାଇଛି। ପୂଜା କମିଟି ପକ୍ଷରୁ ୭ ଦିନ ବ୍ୟାପି ମନୋରଞ୍ଜନ ପାଇଁ ମେଲୋଡି, ମୀନା ବଜାର, ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଛି। ଏ ନେଇ କମିଟି କର୍ମକର୍ତ୍ତା ବେଶ ଉତ୍ସାହିତ ରହନ୍ତି। ଏହାସହ ହାତରେ ଆଉ ଅଳ୍ପ ସମୟ ଥିବା ବେଳେ ଯେଉଁ କିଛି ସାଜସଜ୍ଜା ବାକି ରହିଛି, ତାକୁ ଶେଷ କରିବାକୁ ଲାଗି ପଡିଛନ୍ତି କାରିଗର। କରୋନା ମହାମାରୀ ଯୋଗୁ ଦୁଇ ବର୍ଷ ପରେ ସର୍ବସାଧାରଣଙ୍କ ପାଇଁ ମଣ୍ଡପ ଖୋଲା ହେଉଛି। ଏହାଛଡା ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ମଧ୍ୟ ଆୟୋଜନ କରାଯାଉଛି ବୋଲି ପ୍ରଦେଶୀପଡ଼ା ପୂଜା କମିଟି ସମ୍ପାଦକ ଇନ୍ଦୁମୋଲି ପାଣିଗ୍ରାହୀ ପ୍ରକାଶ କରିଛନ୍ତି।