ସହର ୩ ଘଣ୍ଟା ଜାମ୍‌

ବାଲେଶ୍ୱର ଅଫିସ,୨।୯: ବାଲେଶ୍ୱର ସହରରେ ଶ୍ରୀଗଣେଶଙ୍କ ପୂଜା ଅବସରରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଟ୍ରାଫିକ୍‌ ନିୟନ୍ତ୍ରଣ ପଦକ୍ଷେପ ସମ୍ପୂର୍ଣ୍ଣ ଫେଲ୍‌ ମାରିଥିଲା। ସହର ପ୍ରତ୍ୟେକ ଛକରେ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ଦେଖାଦେଇଥିଲା। ପ୍ରାୟ ସନ୍ଧ୍ୟା ୭ଟାରୁ ରାତି୧୦ଟା ପର୍ଯ୍ୟନ୍ତ ବାଇକ୍‌ ଓ ଚାରିଚକିଆ ଯାନ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ରହିଥିଲେ। ସହର ଭିତରେ ଘର କରି ରହିଥିବା ଲୋକମାନେ ଯା’ଆସ କରିବା ଏକପ୍ରକାର ବନ୍ଦ ହୋଇଯାଇଥିଲା।
ସହରର ୧୨୭ ମଣ୍ଡପରେ ଗଣେଶ ପୂଜା ଆୟୋଜନ କରାଯାଇଛି। ବାଲେଶ୍ୱର ସିନେମା ଛକ ସିଦ୍ଧି ବିନାୟକ ମନ୍ଦିର, ଡାକ୍ତରଖାନା ରୋଡ୍‌ରେ ଭିନ୍ନ ଭିନ୍ନ ପ୍ରକାର ମୂର୍ତ୍ତି ଏବଂ ଆଧୁନିକ ସାଜସଜ୍ଜା ହୋଇଥିବା ବେଳେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଥିଲା। ସିନେମା ଛକ ଓ ଫକୀରମୋହନ ଗୋଲେଇ ଲରି କ୍ଲବ ପକ୍ଷରୁ ଗଜାନନଙ୍କ ଷୋଡ଼ଶ ପୂଜା ଅନୁଷ୍ଠିତ ହୋଇଥିଲା। ଲରି କ୍ଲବର ସାଜସଜ୍ଜା ପଶ୍ଚିମବଙ୍ଗ କାରିଗରଙ୍କ ଦ୍ୱାରା ନନ୍ଦିଘୋଷ ରଥ ଶୈଳୀରେ ୭୦ଫୁଟ୍‌ର ତୋରଣ ନିର୍ମାଣ କରାଯାଇଥିଲା। ସେହିପରି ୭୩କେଜି ଧଳା ରାଶି ବ୍ୟବହାର କରାଯାଇ ୨୨ଫୁଟ୍‌ର ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଥିବାରୁ ଶ୍ରଦ୍ଧାଳୁ ଏହି ମୂର୍ତ୍ତିକୁ ଦେଖିବା ପାଇଁ ଭିଡ଼ ଲଗାଇଥିଲେ। ଟାଉନହଲସ୍ଥିତ କ୍ଲବ ପାରାଡ଼ାଇଜ୍‌ ଓ ମୋତିଗଞ୍ଜ ଚୌକ୍‌ବଜାରସ୍ଥିତ ବଏଜ୍‌ କ୍ଲବର ୨୫ବର୍ଷ ପୂର୍ତ୍ତି ଅବସରରେ ଧୁମ୍‌ଧାମ୍‌ରେ ପାଳନ ହେଉଛି ରୌପ୍ୟଜୟନ୍ତୀ ଉତ୍ସବ। କରୋନା କଟକଣା ପାଇଁ ଦୀର୍ଘ ୨ବର୍ଷ ଧରି ପୂଜା ବନ୍ଦ ଥିବା ବେଳେ ଚଳିତବର୍ଷ ଅନୁମତି ମିଳିଥିବାରୁ ବିଭିନ୍ନ କମିଟି ପକ୍ଷରୁ ଦେଖାଦେଇଥିବା ଉତ୍ସାହ ଓ ଉଦ୍ଦୀପନାକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ଏବଂ ଟ୍ରାଫିକ୍‌ ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ଗତ ଅଗଷ୍ଟ ୨୨ ତାରିଖରେ ଜିଲାପାଳ ବିଭିନ୍ନ ପୂଜା କମିଟି ସଦସ୍ୟ ଓ ଜିଲା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେଥିନିମନ୍ତେ ଆଇନଶୃଙ୍ଖଳା ବଜାୟ ରଖିବା ଓ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଜଣେ ଅତିରିକ୍ତ ଏସ୍‌ପି, ୭ଜଣ ଡିଏସ୍‌ପି, ୮ଜଣ ଇନ୍ସପେକ୍ଟର, ୬୨ଜଣ ସବ୍‌ ଇନ୍ସପେକ୍ଟର/ଏଏସ୍‌ଆଇ, ୧୨ ପ୍ଲାଟୁନ ଫୋର୍ସ, ୮୬ଜଣ କନଷ୍ଟେବଳ/ହାବିଲଦାର, ୮ଜଣ ଟ୍ରାଫିକ୍‌ କନଷ୍ଟେବଳ, ୧୯୦ହୋମ୍‌ଗାର୍ଡ଼ଙ୍କ ଅଗଷ୍ଟ ୩୧ରୁ ଆସନ୍ତା ସେପ୍ଟେମ୍ବର ୬ତାରିଖ ପର୍ଯ୍ୟନ୍ତ ନିୟୋଜିତ କରାଯାଇଛି। ଏହାସତ୍ତ୍ୱେ ମଧ୍ୟ ପ୍ରଥମ ଦିନରେ ସହରରେ ୩ ଘଣ୍ଟା ଟ୍ରାଫିକ୍‌ ଜାମ୍‌ ହୋଇଥିଲା।