Categories: Uncategorized

ସିଟି ଅଫ୍‌ ହିଲ୍ସ

ଗୁଜରାଟ ଏହାର ଐତିହ୍ୟ ସହର ପାଇଁ ସୁପରିଚିତ। ଏହାର କଳା ଓ ଭାସ୍କର୍ଯ୍ୟର ନିଦର୍ଶନ ପ୍ରତିଟି ମନ୍ଦିର କାରୁକାର୍ଯ୍ୟରେ ଝଲସି ଉଠେ। ତେବେ ଏହାର ଏକ ଜିଲା ଜୁନାଗଡ଼, ସିଟି ଅଫ୍‌ ହିଲ୍ସ ନାମରେ ପରିଚିତ। ଏହାର ପର୍ବତମାଳାରେ ଖୋଦେଇ ହୋଇଛି ଅନେକ ମନ୍ଦିର। ଆସନ୍ତୁ ଜାଣିବା ଏ ବିଷୟରେ…
ଜୁନାଗଡ଼ ଜିଲାରେ ଥିବା ପର୍ବତମାଳା ମଧ୍ୟରୁ ଗିରିନାର ହେଉଛି ସବୁଠାରୁ ଉଚ୍ଚତମ ଗିରିଶୃଙ୍ଗ। ଏହି ଶୃଙ୍ଗର ଉଚ୍ଚତା ୩୬୦୦ ଫୁଟ୍‌। ଏହାର ଅନ୍ୟ ନାମ ଗିରି ନଗର ବା ସିଟି ଅଫ୍‌ ହିଲ୍ସ।
ଏହି ପର୍ବତମାଳା ମଧ୍ୟରୁ ୫ଟି ଶିଖରରେ ପଥର ଖୋଦିତ ସୂକ୍ଷ୍ମ କାରୁକାର୍ଯ୍ୟ ହୋଇଥିବା ୮୬୬ଟି ମନ୍ଦିର ଅଛି। ଏହି ମନ୍ଦିରର ଦେବଦେବୀଙ୍କୁ ହିନ୍ଦୁ ଓ ଜୈନ ଭକ୍ତମାନେ ପୂଜା କରିଥା’ନ୍ତି।
ପର୍ବତ ଶିଖରରେ ସେଠାକାର ଲୋକପ୍ରିୟ ଗୁରୁ ଦତ୍ତାତ୍ରେୟଙ୍କର ମନ୍ଦିର ରହିଛି। ଦତ୍ତାତ୍ରେୟଙ୍କ ପାଦ ଚିହ୍ନ ଏଠାରେ ଏବେବି ରହିଥିବା କୁହାଯାଏ।
ପାହାଡ଼ ପାଦଦେଶରୁ ପାହାଡ଼ ଶୀର୍ଷରେ ଥିବା ଶେଷ ମନ୍ଦିରଯାଏ ୧୦,୦୦୦ ଶିଡ଼ି ରହିଥିବା କୁହାଯାଏ। ତେବେ ୭୦୦୦ ଶିଡ଼ି ଚଢ଼ିବା ପରେ ପ୍ରଥମ ମନ୍ଦିର ଆସିଥାଏ। ସେହି ସ୍ଥାନରେ ୫ଟି ମନ୍ଦିର ରହିଛି, ଯେଉଁଠାରେ ଜୈନ ଭକ୍ତମାନେ ପୂଜା କରିଥା’ନ୍ତି।
ପ୍ରତିବର୍ଷ ଏଠାରେ ଏକ ଦୌଡ଼ ପ୍ରତିଯୋଗିତା ଆୟୋଜନ କରାଯାଏ, ଯାହା ପର୍ବତର ପାଦଦେଶରୁ ଆରମ୍ଭ କରାଯାଇ ପର୍ବତ ଶିଖର ପର୍ଯ୍ୟନ୍ତ କରାଯାଇଥାଏ। ସ୍ଥାନୀୟ ଲୋକମାନଙ୍କ ମତାନୁଯାୟୀ, ପର୍ବତ ଶିଖରରେ ପହଞ୍ଚତ୍ବାକୁ ଏପର୍ଯ୍ୟନ୍ତ ରେକର୍ଡ କରାଯାଇଥିବା ସର୍ବନିମ୍ନ ସମୟ ହେଉଛି ୪୩ ମିନିଟ୍‌। ଏହା ସବୁଠାରୁ ଆଶ୍ଚର୍ଯ୍ୟକର ବିଷୟ। କାରଣ ଯେଉଁମାନେ ଟ୍ରେକିଂ ପାଇଁ ଯାଇଥା’ନ୍ତି ସେମାନଙ୍କୁ ଶୃଙ୍ଗ ପର୍ଯ୍ୟନ୍ତ ପହଞ୍ଚତ୍ବାକୁ ୫ରୁ ୮ ଘଣ୍ଟା ଲାଗିଥାଏ।