ସହର ସୁରକ୍ଷାକୁ ଗୁରୁତ୍ୱ ନାହିଁ

ଅନୁଗୋଳ ଅଫିସ, ୨୨।୧୨ ବଜାର ମଧ୍ୟରେ ହେଉ କିମ୍ବା କଲୋନୀ, ଲୁଟ୍‌, ଛିନତାଇ କରି ସହଜରେ ଖସିଯାଉଛନ୍ତି ଦୁର୍ବୃତ୍ତ। ସର୍ବସମ୍ମୁଖରେ ଅପରାଧ ଘଟୁଥିଲେ ମଧ୍ୟ ରୋକିବାକୁ କେହି ନାହିଁ। ପୋଲିସ ପାଟ୍ରୋଲିଂ, ଗୋଇନ୍ଦା ଓ ସ୍ପେଶାଲ ସ୍କ୍ବାଡ୍‌ ଯେମିତି ଫେଲ ମାରିଛି ଅନୁଗୋଳ ସହରରେ। ଥାନାରେ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ ହେଉଛି ସିନା ହେଲେ ଦୁର୍ବୃତ୍ତମାନଙ୍କ ପତ୍ତା ପାଇପାରୁନି ପୋଲିସ। ଲୁଟ୍‌ ସାମଗ୍ରୀ ଉଦ୍ଧାର ହେଉନାହିଁ କି ଗିରଫଦାରି ଦେଖାଯାଉ ନାହିଁ। ସହର ସୁରକ୍ଷାକୁ ପୋଲିସ ପୂର୍ବପରି ଗୁରୁତ୍ୱ ଦେଉ ନ ଥିବାରୁ ଏପରି ଆପରାଧିକ କାର୍ଯ୍ୟକଳାପ ବଢ଼ିଚାଲିଥିବା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି।
ଅନୁଗୋଳ ଥାନା, ଅନୁଗୋଳ ସଦର, ବଅଁରପାଳ, କୋଲିୟରୀ ଓ ତାଳଚେର ଥାନା ଅଞ୍ଚଳରେ ଅପରାଧ ରୋକିବାକୁ ଏସ୍‌ପିଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିଲା। ଏସବୁ ଥାନାର ଜଣେ ଲେଖାଏ ଏସ୍‌ଆଇଙ୍କୁ ନେଇ ଅତୀତରେ ସ୍ପେଶାଲ ସ୍କ୍ବାଡ୍‌ ଗଠନ କରାଯାଇଥିଲା। ଏହି ସ୍କ୍ବାଡ୍‌ରେ ଥିବା ଅଫିସରମାନଙ୍କୁ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଚୋରି, ଲୁଟ୍‌, ଡକାୟତି ଓ ଛିନତାଇ କରୁଥିବା ଦୁର୍ବୃତ୍ତଙ୍କୁ ଧରିବା ଓ ସେମାନଙ୍କ ଟ୍ରାକ୍‌ ରେକର୍ଡ ରଖିବା ପରି ଗୁରୁ ଦାୟିତ୍ୱ ସ୍ପେଶାଲ ସ୍କ୍ବାଡ୍‌କୁ ଅର୍ପଣ କରାଯାଇଥିଲା। ନିଜ ଥାନା ଅଞ୍ଚଳର ଦୁର୍ବୃତ୍ତମାନଙ୍କ ତାଲିକା ନିଜ ପାଖରେ ରଖିବା ପରି ଅନେକ ଦାୟିତ୍ୱ ସ୍ପେଶାଲ ସ୍କ୍ବାଡ୍‌କୁ ଦିଆଯାଇଥିଲା। ହେଲେ ମାସ କେଇଟା ନ ଯାଉଣୁ ସ୍ପେଶାଲ ସ୍କ୍ବାଡ୍‌ ଚିତ୍ର ସମୂର୍ଣ୍ଣ ଅଲଗା ହୋଇଯାଇଛି। କେବଳ ଡିସିଓ ଡ୍ୟୁଟିକୁ ଛାଡ଼ିଦେଲେ ସ୍ପେଶାଲ ସ୍କ୍ବାଡ୍‌ ଅଧିକାରୀଙ୍କୁ ହେଲମେଟ୍‌ ଯାଞ୍ଚ କାର୍ଯ୍ୟ ସହ ଆଇନଶୃଙ୍ଖଳା ପରିସ୍ଥିତିରେ ନିୟୋଜିତ କରାଯାଉଛି। ଫଳରେ ମୂଳ ଦାୟିତ୍ୱଠାରୁ ସେମାନେ ଯେ ଦୂରେଇ ଗଲେଣି ଏହା ଉପରେ ଧ୍ୟାନ ଦିଆଯାଉ ନାହିଁ। ଏହି କାରଣରୁ ଅନୁଗୋଳ ସହରରେ ପୁଣି ଆପରାଧିକ କାର୍ଯ୍ୟକଳାପ ବଢ଼ିଚାଲିଛି। ଗତ ଶନିବାର ଅନୁଗୋଳରୁ ପିଟିସି ଛକ ଅଭିମୁଖେ ଯାଉଥିବା ଜଣେ ମହିଳାଙ୍କ ହାତରୁ ଟଙ୍କା ବ୍ୟାଗ୍‌ ଝାମ୍ପି ନିଆଯାଇଛି। ସେଥିରେ ୫୦ ହଜାର ଟଙ୍କା ଥିବା ଅଭିଯୋଗ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଟଙ୍କା ବ୍ୟାଗ୍‌ ନେଇ ଚମ୍ପଟ ମାରିଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଧରିପାରି ନାହିଁ। ଏହାପୂର୍ବରୁ ବିଇଡି କଲେଜ ଛକଠାରେ ଜଣେ ମହିଳାଙ୍କ ବ୍ୟାଗ୍‌ ଝାମ୍ପି ନିଆଯାଇଥିଲା। ଗୁଜୁରାଟିପଡ଼ାର ଜଣେ ମହିଳାଙ୍କ ବେକରୁ ଚେନ୍‌ ଛିନ୍‌ତାଇ ହୋଇଥିଲା। ଘଟଣା ସମ୍ପର୍କରେ ଜିଲା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଭିନ୍ନ ଥାନାରେ କର୍ମଚାରୀ ସଂଖ୍ୟା କମ୍‌ ରହୁଥିବାରୁ ସ୍ପେଶାଲ ସ୍କ୍ବାଡ୍‌କୁ ବିଭିନ୍ନ କାର୍ଯ୍ୟରେ ଲଗାଯାଉଛି। ଏ ନେଇ ଏସ୍‌ପି ଜଗମୋହନ ମୀନାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନ ପାରିବାରୁ ମତାମତ ମିଳିପାରି ନାହିଁ।

Share