ବିଜୁଳି କଟିଲେ ସିଟିସ୍କାନ୍‌ ଠପ୍‌

ଅନୁଗୋଳ, ୨୦।୧୨ (ଅମିତ କୁମାର ସାମଲ): ବିଜୁଳି କଟିଲେ ଠପ୍‌ ହୋଇଯାଉଛି ଗୁରୁତ୍ୱପୂର୍ଣ୍ଣ ସିଟିସ୍କାନ ବ୍ୟବସ୍ଥା। ଜେନେରେଟର ଥିଲେ ବି ବ୍ୟାଟେରି ଚୋରି ହୋଇଯାଇଥିବାରୁ ତାହା କାର୍ଯ୍ୟରେ ଲାଗିପାରୁ ନାହିଁ। ଫଳରେ ସରକାରୀ ମେଡିକାଲରୁ ନିଃଶୁଳ୍କ ସେବା ପାଇ ନ ପାରି ରୋଗୀ ଘରୋଇ ଚିକିତ୍ସାଳୟକୁ ଯାଇ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି। ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଦେଇଥିବା ଏପରି ଅବ୍ୟବସ୍ଥାକୁ ନେଇ ରୋଗୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ସିଟିସ୍କାନ ଅଚଳ ରହିଲେ ଏହାର ଫାଇଦା ଉଠାଉଛନ୍ତି କେତେଜଣ ଦଲାଲ। ସେମାନେ ସିଟିସ୍କାନ ଆବଶ୍ୟକ କରୁଥିବା ରୋଗୀଙ୍କୁ ଘରୋଇ ଚିକିତ୍ସାଳୟକୁ ନେଇ ଅଧିକ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି। ଏ ନେଇ ଚିକିତ୍ସାଳୟ ଅଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି।
ସୂଚନା ଅନୁଯାୟୀ, ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଗତ ରବିବାର କୁରୁଡ଼ୁଲୁ ଅଞ୍ଚଳର ଜଣେ ଦୁର୍ଘଟଣାଗ୍ରସ୍ତ ଯୁବକ ଆସିଥିଲେ। ଡାକ୍ତର ତାଙ୍କର ସିଟି ସ୍କାନ୍‌ କରିବାକୁ କହିଥିଲେ। ହେଲେ ସିଟି ସ୍କାନ୍‌ ପ୍ରକୋଷ୍ଠରେ ପହଞ୍ଚତ୍ବା ପରେ ମେଶିନ ଚାଲିପାରିବ ନାହିଁ ବୋଲି ଜାଣିବାକୁ ପାଇଥିଲେ। କାରଣ ମେଡିକାଲ ପଛପାର୍ଶ୍ୱ ଗେଟ୍‌ କାର୍ଯ୍ୟ ଚାଲିଥିବାରୁ ବିଜୁଳି ନ ଥିଲା। ତେଣୁ ସିଟି ସ୍କାନ କରିହେବନି ବୋଲି ତାଙ୍କୁ କୁହାଯାଇଥିଲା। ଜେନେରେଟର ପ୍ରସଙ୍ଗ ଉଠାଯାଇଥିଲେ ବି ବ୍ୟାଟେରି ଚୋରି ହୋଇଯାଇଥିବାରୁ ସିଟି ସ୍କାନ ବ୍ୟବସ୍ଥା ଠପ୍‌ ହୋଇଯାଇଥିବା କୁହାଯିବାରୁ ସମ୍ପୃକ୍ତ ଦୁର୍ଘଟଣାଗ୍ରସ୍ତ ଯୁବକ ବାଧ୍ୟ ହୋଇ ଘରୋଇ ମେଡିକାଲ ଯାଇ ସିଟିସ୍କାନ କରିଥିଲେ। କେବଳ ସମ୍ପୃକ୍ତ ଯୁବକ ନୁହନ୍ତି ଏପରି ୫ ଜଣ ରୋଗୀ ଫେରିଥିବା ଚର୍ଚ୍ଚା ହେଉଛି। ସେମାନଙ୍କ ମଧ୍ୟରୁ କେତେଜଣ କଟକ ଯାଇଥିବା ବେଳେ ଅନ୍ୟମାନେ ଘରୋଇ ହସ୍ପିଟାଲକୁ ଯାଇ ସେଠାରେ ଶୋଷଣର ଶିକାର ହୋଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସିଟିସ୍କାନ ବ୍ୟବସ୍ଥା ଥିବାବେଳେ ରୋଗୀ ଘରୋଇ ମେଡିକାଲକୁ ଯାଇ ଅଯଥା ଖର୍ଚ୍ଚାନ୍ତର ଶିକାର ହେଉଥିବାରୁ ଏ ନେଇ ଅସନ୍ତୋଷ ଦେଖାଦେଇଛି। ସେହିପରି ସୁରକ୍ଷା କର୍ମୀ ମୁତୟନ ଥିବା ସତ୍ତ୍ୱେ ବ୍ୟାଟେରି କିପରି ଚୋରି ହେଲା ତାହା ମଧ୍ୟ ସନ୍ଦେହ ସୃଷ୍ଟି କରିଛି। ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶିବାନନ୍ଦ ମହାନ୍ତି କହିଛନ୍ତି, ଏପରି ହୋଇଥିବା ଜାଣିନାହିଁ। ଏ ନେଇ ଏଡିଏମ୍‌ଓ ଏବଂ ପରିଚାଳକଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

Share