Categories: ଜାତୀୟ

ଶୁକ୍ରବାରଠାରୁ ସିଭିଲ୍‌ ସର୍ଭିସ (ମେନ୍‌) ପରୀକ୍ଷା

ନୂଆଦିଲ୍ଲୀ, ୬।୧(ପି.ଟି.): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସିଭିଲ୍‌ ସର୍ଭିସ (ମେନ୍‌) ପରୀକ୍ଷା, ୨୦୨୧ ଶୁକ୍ରବାରଠାରୁ ଆରମ୍ଭ ହେବ ବୋଲି ବୁଧବାର କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ କୁହାଯାଇଛି। ପରୀକ୍ଷାର୍ଥୀ ଏବଂ ପରୀକ୍ଷା ପରିଚାଳନା ପଦାଧିକାରୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବାକୁ ୟୁପିଏସ୍‌ସି ରାଜ୍ୟ ସରକାରମାନଙ୍କୁ କହିଛି। ଆବଶ୍ୟକ ହେଲେ ପରୀକ୍ଷାର୍ଥୀମାନଙ୍କୁ ଦିଆଯାଇଥିବା ଇ-ଆଡମିଟ୍‌ କାର୍ଡ ଏବଂ ପରୀକ୍ଷା ପରିଚାଳନା ଅଧିକାରୀମାନଙ୍କ ପରିଚୟ ପତ୍ରକୁ ଯାତାୟାତ ପାସ୍‌ ଭାବେ ବ୍ୟବହାର କରାଇବାକୁ ୟୁପିଏସ୍‌ସି ପରାମର୍ଶ ଦେଇଛି। କୋଭିଡ୍‌ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଜାନୁୟାରୀ ୭, ୮, ୯, ୧୫, ଏବଂ ୧୬ରେ ପରୀକ୍ଷା କରାଯିବାକୁ କମିଶନ ନିଷ୍ପତ୍ତି ନେଇଛି। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ବିଦେଶୀ ସେବା (ଆଇଏଫ୍‌ଏସ୍‌) ଏବଂ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଫିସର ଚୟନ ଲାଗି ସିଭିଲ୍‌ ସର୍ଭିସ ପରୀକ୍ଷା ହୋଇଥାଏ।

Share