ଭୋକିଲା ମୁହଁରେ ହସ ଫୁଟାଉଥିବା ବ୍ୟକ୍ତି କରୋନା ଯୁଦ୍ଧରେ ହାରିଗଲେ

ନୂଆଦିଲ୍ଲୀ,୧୫।୭:ଦେଶରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଛି। ଗୋଟିଏ ଦିନରେ ୨୦ ହଜାରରୁ ଅଧିକ ମାମଲା ଆସୁଛି। ଦିଲ୍ଲୀର ଅବସ୍ଥା ମଧ୍ୟ ଚିନ୍ତାଜନକ। କରୋନା ଜୀବାଣୁ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ମାର୍ଚ୍ଚରେ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। କାମ ହରାଇ ଶହ ଶହ ପ୍ରବାସୀ ଶ୍ରମିକ ସେମାନଙ୍କ ଗାଁକୁ ଚାଲିଗଲେ। ବହୁ ସଂଖ୍ୟାରେ ଲୋକ ଏହି ଭୋକିଲା ପ୍ରବାସୀ ଶ୍ରମିକମାନଙ୍କୁ ଖାଇବାକୁ ଦେବା ପାଇଁ ଆଗେଇ ଆସିଥିଲେ ଏବଂ ରାସ୍ତାରେ ସେମାନଙ୍କୁ ଖାଦ୍ୟ ଯୋଗାଉଥିଲେ। ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ଦିଲ୍ଲୀର ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀ ଅରୁଣ ସିଂ। ଏପ୍ରିଲରୁ ସେ ପ୍ରବାସୀ ଶ୍ରମିକମାନଙ୍କୁ ପାଇଁ ପ୍ରତିଦିନ ରାସ୍ତାରେ ଖାଦ୍ୟ ପ୍ୟାକେଟ ବଣ୍ଟନ କରୁଥିଲେ। ୩ ମାସ ପରେ ସେ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କଲେ।

ଅରୁଣ ସିଂ ଜୁଲାଇ ଆରମ୍ଭରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଜୁଲାଇ ୪ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୋମବାର ଦିନ ସେ ଦ୍ୱାରକାସ୍ଥିତ ଭେଙ୍କଟେଶ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଗତ ତିନିମାସ ଧରି ପ୍ରତିଦିନ ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଥିଲେ। ତାଙ୍କ ପୁଅ ଶ୍ରେଣୀ ୯ରେ ପଢୁଛନ୍ତି। ତାଙ୍କ ଝିଅ ନିକଟରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

Share