ସିରିଆରେ ଗୃହଯୁଦ୍ଧ, ଆଇଏସ୍‌-କୁର୍ଦ୍ଦ ସୈନ୍ୟ ମୁହାଁମୁହିଁ…

ଦାମାସ୍‌କସ୍‌, ୨୪।୧ : ସିରିଆରେ ଇସଲାମିକ ଷ୍ଟେଟ (ଆଇଏସ) ଆତଙ୍କବାଦୀ ଏବଂ କୁର୍ଦ୍ଦ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ୧୩୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀ ଏବଂ କୁର୍ଦ୍ଦ ବାହିନୀ ମଧ୍ୟରେ ଏହି ବିବାଦ ଗୁରୁବାର ଠାରୁ ଆରମ୍ଭ ହୋଇଛି।

ସେମାନଙ୍କ ସାଥୀଙ୍କୁ ମୁକ୍ତ କରିବା ପାଇଁ ୧୦୦ ରୁ ଅଧିକ ଆଇଏସ ଆତଙ୍କବାଦୀ ସିରିଆର ଅଲ-ହାସାକା ସହରର ଘବରେନ ଜେଲ ଉପରେ ଆକ୍ରମଣ କରିଥିଲେ। ଏହା ପରେ କୁର୍ଦ୍ଦ ସୈନ୍ୟମାନେ ଏହାର ପ୍ରତିରୋଧ କରିଥିଲେ। ଫଳରେ ଗୃହଯୁଦ୍ଧ ଚରମ ସ୍ଥିତିରେ ପହଞ୍ଚିଥିଲା।

ଖବର ଅନୁଯାୟୀ, ଏହି ରକ୍ତାକ୍ତ ସଂଘର୍ଷରେ ଗତ ୪ ଦିନ ମଧ୍ୟରେ ୮୪ ଆଇଏସଆଇଏସ ଆତଙ୍କବାଦୀ ଏବଂ ୪୫ କୁର୍ଦ୍ଦ ଯୋଦ୍ଧାଙ୍କର ମୃତ୍ୟୁ ହୋଇଛି। ଏଥିସହିତ ୭ ଜଣ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ଅନେକ ଦିନ ଧରି ସିରିଆରେ ଜାରି ରହିଥିବା ରକ୍ତାକ୍ତ ବିବାଦ ଯୋଗୁଁ ସାରା ବିଶ୍ୱରେ ମାନବିକ ଅଧିକାର ଏବଂ ଶାନ୍ତି ପ୍ରେମୀ ସଂଗଠନଗୁଡ଼ିକର ଚିନ୍ତା ବଢ଼ିବାରେ ଲାଗିଛି। ରବିବାର ପୋଲିସ ହେପାଜତରେ ରହିଥିବା ୮୫୦ ନାବାଳିକାଙ୍କ ସୁରକ୍ଷା ପାଇଁ ୟୁନିସେଫ ଦାବି କରିଛି।

ଏଥି ସହିତ ବ୍ରିଟେନର ସିରିଆର ଅବଜରଭେଟୋରୀ ଫର୍‌ ହ୍ୟୁମାନ ରାଇଟ୍ସ କହିଛି ଯେ ଆଇଏସ ଆତଙ୍କବାଦୀମାନେ ଘବରେନ ଜେଲ ଉପରେ ଆକ୍ରମଣ ଙ୍‌କରି ସେମାନଙ୍କ ଅନେକ ସାଥୀଙ୍କୁ ଉଦ୍ଧାର କରିବା ସହିତ ବିପୁଳ ପରିମାଣର ଅନେକ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ।

ଆତଙ୍କବାଦୀ ଘଟଣାର ବିଶେଷଜ୍ଞଙ୍କ କହିବାନୁସାରେ, ଇସଲାମିକ ଷ୍ଟେଟ ପୁଣି ଥରେ ସିରିଆରେ ନିଜର ସ୍ଥିତି ମଜବୁତ କରିବାକୁ ଚେଷ୍ଟା କରୁଛି। ଏହି ଆତଙ୍କବାଦୀ ସଂଗଠନ ସହିତ ଜଡିତ ଅନେକ ସ୍ଲିପର ସେଲ୍‌ ମଧ୍ୟ ସକ୍ରିୟ ହୋଇପାରିଛି। ଅନ୍ୟପକ୍ଷରେ ସିରିଆର ଅବସ୍ଥା ପୁଣି ଥରେ ଖରାପ ହେବାକୁ ଯାଉଛି। ୨୦୧୧ ମସିହାରେ ସିରିଆରେ ଆଇଏସ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଆରମ୍ଭ କରିଥିଲା।

ଏହା ପରେ ହଜାର ହଜାର ଲୋକଙ୍କୁ ଅମାନୁଷିକ ଭାବେ ହତ୍ୟା କରାଯାଇଥିଲା। ଆମେରିକାର ସୁରକ୍ଷା ବାହିନୀ ପ୍ରାୟ ତିନି ବର୍ଷ ପୂର୍ବେ ପ୍ରତିଶୋଧ ନେଇଥିଲେ ଏବଂ ଆଇଏସ୍‌ ଆତଙ୍କବାଦୀଙ୍କ ସ୍ଥିତି ସିରିଆରେ ଦୁର୍ବଳ ହୋଇଯାଇଥିଲା।

Share