ଶ୍ରୀଜିଉଙ୍କ ଦର୍ଶନ କଲେ ସିଜେଆଇ

ପୁରୀ ଅଫିସ,୨୫।୯: ପୁରୀ ଗସ୍ତରେ ଆସିଥିବା ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଏନ୍‌.ଭି.ରମନା ଶନିବାର ସକାଳେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ସେ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ୫ଟି ସଚିବ ଭି.କେ.ପାଣ୍ଡିଆନ୍‌, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲାପାଳ ସମର୍ଥ ବର୍ମା ଏବଂ ଏସ୍‌ପି ତାଙ୍କୁ ସ୍ବାଗତ କରିଥିଲେ। ପ୍ରାୟ ୪୫ ମିନିଟ୍‌ ସେ ଶ୍ରୀମନ୍ଦିରରେ ବିତାଇବା ସହ ସମସ୍ତ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ମଧ୍ୟ ଦର୍ଶନ କରିଥିଲେ। ବିଚାରପତିଙ୍କ କୌଳିକ ପଣ୍ଡା ରଜତ ପ୍ରତିହାରୀ ତାଙ୍କ ସହ ଶ୍ରୀମନ୍ଦିରକୁ ଯାଇ ଦର୍ଶନର ବ୍ୟବସ୍ଥା କରିଥିଲେ।

ପ୍ରକାଶ ଯେ, ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନ ବିଚାରପତି। ସେ ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା। ପରେ ସେ ରାତି ୮ଟା ୧୫ରେ ପୁରୀ ଅଭିମୁଖେ ବାହାରିଥିଲେ। ମେ ଫେୟାର ହୋଟେଲରେ ସେ ଅବସ୍ଥାନ କରିଥିଲେ। ଶନିବାର ତାଙ୍କର ମହାପ୍ରଭୁଙ୍କ ଦର୍ଶନ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଥିଲା। କଟକରେ ସେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ(ଆଇନ ସେବା ଭବନ)ର ନୂତନ କୋଠାକୁ ଲୋକାର୍ପଣ କରିବେ ବୋଲି ଜଣାପଡ଼ିଛି। ସନ୍ଧ୍ୟା ୬ଟା ୪୦ରେ ସେ ନୂଆଦିଲ୍ଲୀ ଫେରିଯିବେ।